ଦିଲ୍ଲୀରେ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ! ଟୁଇଟ୍ କରି ଧର୍ମେନ୍ଦ୍ର କହିଲେ, ରାଜ୍ୟରେ ଜମି ଅଧିଗ୍ରହଣ ଓ ପରିବେଶ ମଂଜୁରୀ ସମସ୍ୟାରୁ ହେଉଛି ବିଳମ୍ବ

31

କନକ ବ୍ୟୁରୋ: ରେଳ ପାଇଁ ରାଜନୀତି । ରାଜ୍ୟରେ ରେଳ ପ୍ରକଳ୍ପର ମନ୍ଥରତା ନେଇ ଦିଲ୍ଲୀରେ ବୈଠକ ପରେ ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ସମସ୍ୟା ଯୋଗୁଁ ରାଜ୍ୟରେ ରେଳପ୍ରକଳ୍ପଗୁଡିକର କାମ ଆଗେଇପାରୁନାହିଁ । ପୂର୍ବରୁ ରାଜ୍ୟ ସରକାର ଯେଉଁ ଜମିଗୁଡିକ ହସ୍ତାନ୍ତାର କରିବେ ବୋଲି କହିଥିଲେ ସେହି ଜମିଗୁଡିକ ଯୋଗାଇ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଗତକାଲି ଦିଲ୍ଲୀରେ ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳପ୍ରକଳ୍ପର କାମ ନେଇ ସମୀକ୍ଷା ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରେଳବାଇ ବୋର୍ଡ, ପୂର୍ବତଟ ରେଳବାଇ ଓ ରେଳ ବିକାଶ ନିଗମ ଲିମିଟେଡର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବାକୁ ବୈଠକରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ରେଳପ୍ରକଳ୍ପ କାମ ଆଗକୁ ନ ବଢିବା ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଛି । ଏପରିକି ଖୋର୍ଧା-ବଲାଙ୍ଗୀର ରେଳପଥ କାମରେ ମନ୍ଥରତା ନେଇ କେନ୍ଦ୍ରକୁ ଦୋଷ ଲଦିଛି ବିଜେଡି ।