ତେଲ ବଢାଉଛି ମୁଣ୍ଡବ୍ୟଥା ! କେମିତି କମିବ ତେଲ ଦର, ଚିନ୍ତାରେ ମୋଦି ସରକାର । ୪ ସୂତ୍ରୀ ଫର୍ମୁଲା ଉପରେ ଚାଲିଛି ବିଚାର ।

36

ରେକର୍ଡ ସ୍ଥରରେ ପହଁଚିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ବଢୁଥିବା ବେଳେ ସରକାର ସେପରି କିଛି ବଡ଼ ନିଷ୍ପତି ନେଇ ପାରୁନାହାନ୍ତି । ଟିକସ ବାବଦରେ କୋଟି କୋଟି ଟଙ୍କା ସରକାରଙ୍କ ତହବିଲକୁ ଯାଉଥିବା ବେଳେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ପେଟ୍ରୋଲ ଦରକୁ ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବା ବେଳେ ମୂଲ୍ୟ ହ୍ରାସ ପାଇଁ ୪ଟି ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରସ୍ତାବ ୧ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା । ବିଶେଷଜ୍ଞମାନେ କହୁଛନ୍ତି ଯଦି ୪୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଆଦାୟ ହୁଏ, ତେବେ ବି ପେଟ୍ରୋଲ ମୂଲ୍ୟରେ ବଡ଼ ହ୍ରାସ ଘଟିବ । ତେଣୁ ପେଟ୍ରୋଲିୟମ ମନ୍ତ୍ରୀ ଜିଏସଟି ଲାଗୁ କରିବା କଥା ବାରମ୍ବାର କହୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଥିରେ ସହମତି ହୋଇ ପାରୁନାହିଁ ।

ପ୍ରସ୍ତାବ ୨ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଘଟିବାରୁ ଓଏନଜିସି ଭଳି ଦେଶର ତେଲ କମ୍ପାନୀ ବେଶ ଲାଭବାନ ହେଉଛନ୍ତି । ଯେତିକି ଅଶୋଧିତ ତେଲ ଆବଶ୍ୟକ ହୁଏ, ୨୦ ପ୍ରତିଶତ ତେଲ ଯୋଗାଇଥାଏ ଓଏନଜିସି । ସରକାର ଓଏନଜିସିଠାରୁ କମ୍ ମୂଲ୍ୟରେ ତେଲ ଆଣିଲେ ବଜାର ଦର ହ୍ରାସ ପାଇବ ।

ପ୍ରସ୍ତାବ ୩ : କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତେଲ ଦରରୁ ସାମୟିକ ଆଶ୍ୱସ୍ତି ଦେବା ପାଇଁ ଫ୍ୟୁଚର ଟ୍ରେଡିଂ ପାଇଁ ଯୋଜନା କରୁଛି ପେଟ୍ରୋଲିୟମ ମନ୍ତ୍ରାଳୟ । ଅର୍ଥାତ୍ ଆଜି ମୂଲ୍ୟରେ ତେଲ କିଣାଯିବ, ପରେ ଏହି ତେଲ ଡେଲିଭରି ମିଳିବ । ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜେସ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଏ ନେଇ ଅନୁମତି ଦେଲେ ଏପରି କ୍ରୟ କରିବାକୁ ପଦକ୍ଷେପ ନେବ ଇଣ୍ଡିଆନ୍ କମୋଡିଟି ଏକ୍ସଚେଂଜ୍ ।

ପ୍ରସ୍ତାବ ୪: ତେଲ ରପ୍ତାନୀ କରୁଥିବା ଦେଶ ବା ଅରଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ୍ ଏକ୍ସପୋଟିଂ କଂଟ୍ରିଜ୍ ‘ଓପେକ୍’, ପାଶ୍ଚାତ୍ୟ ଦେଶ ଅପେକ୍ଷା ଅଧିକ ମୂଲ୍ୟରେ ଏସିଆର ରାଷ୍ଟ୍ରଗୁଡିକୁ ତେଲ ଯୋଗାଇଥାଏ । ଏବେ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି, ପାଶ୍ଚାତ୍ୟ ଦେଶ ଭଳି ଭାରତକୁ ତେଲ ମୂଲ୍ୟରେ ରିହାତି ମିଳୁ । ଏପରି ହେଲେ ଭାରତୀୟ ବଜାରରେ ତେଲ ଦର ହ୍ରାସ ପାଇବ ।

୨୦୧୬-୧୭ ଆର୍ଥିକ ବର୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବସାଇ ସରକାର ୨ ଲକ୍ଷ ୭୦ ହଜାର କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି । ତେଣୁ ଟିକସ କମାଇବାକୁ ମୋଦି ସରକାର ଆଗ୍ରହ ଦେଖାଉନାହାନ୍ତି । ତେବେ ୨୦୧୯ ନିର୍ବାଚନରେ ତେଲ ଦରବୃଦ୍ଧିର ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ଉପୁଜିଲେ, ସରକାର ଟିକସ କମାଇବା ନିଷ୍ପତି ନେଇପାରନ୍ତି ।