ଅନିୟନ୍ତ୍ରିତ ଘରୋଇ କୋଚିଂ ସେଣ୍ଟର ନେଇ ଉଦବେଗ ପ୍ରକାଶ କଲା କେନ୍ଦ୍ର : ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

569

କନକ ବ୍ୟୁରୋ : ରାଜ୍ୟରେ ଘରୋଇ କୋଚିଂ ସଂସ୍ଥା ଗୁଡ଼ିକ ଛତୁଫୁଟିଲା ଭଳି ବଢ଼ିବାରେ ଲାଗିଛି । ଏଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଆଇନ ବା ନୀତିଗତ ବ୍ୟବସ୍ଥା ନାହିଁ । ଏହାକୁ ନେଇ କେନ୍ଦ୍ର ସରକାର ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଘରୋଇ କୋଚିଂ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରିତ କରିବା ଲାଗି ଏକ ଆଇନ କିମ୍ବା ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାର ଏହି ପରି‌ପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଅନେକ ଘରୋଇ କୋଚିଂ ସେଣ୍ଟର ରହିଛି, ଯେଉଁଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ମାତ୍ରାଧିକ ଫି ଆଦାୟ କରୁଛନ୍ତି । ଏପରିକି ପାଠ ପଢ଼ା ଜନିତ ଅଯଥା ଚାପ ଛାତ୍ରଛାତ୍ରୀଙ୍କ ଉପରେ ସୃଷ୍ଟି ହେଉଛି । ଅଧିକାଂଶ କୋଚିଂ ସେଣ୍ଟର କୌଣସି ନିୟମ ଦ୍ବାରା ପରିଚାଳିତ ହେଉନାହାନ୍ତି । କିଛିଦିନ ପୂର୍ବେ ଗୁଜରାଟର‌ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିବା ଦ୍ବାରା ଅନେକ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ଜୀବନ ଚାଲି ଯାଇଛି । ଜାତୀୟ ସ୍ତରରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି ।

ଦେଶରେ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜଷ୍ଟିସ ରୁପନୱାଲ କମିସନ ଗଠନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରିବ ସେଥିପାଇଁ ଏକ ବିକାଶ ବ୍ୟବସ୍ଥା କରିବାକୁ କମିସନ ପକ୍ଷରୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି । ଏତଦବ୍ୟତୀତ ଅଶୋକ ମିଶ୍ର କମିଟି ସମେତ ଅନେକ କମିଟି ମଧ୍ୟ ରିପୋର୍ଟ ଦେଇଛି । ଛାତ୍ରଛାତ୍ରୀମାନଙ୍କୁ ଜେ‌ଇଇ ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଘରୋଇ କୋଚିଂ ସେଣ୍ଟରରୁ ଦୂରେଇ ରଖିବା ଲାଗି ମକ୍ ଜେଇଇ ବ୍ୟବସ୍ଥା ସ୍ଥାପନ କରିବାକୁ ଆଇଆଇଟିଗୁଡ଼ିକୁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି ।