ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟର ପ୍ରସ୍ତାବକୁ ଅଗ୍ରାହ୍ୟ କଲା କେନ୍ଦ୍ର ! ଦାବି ଯଥାର୍ଥ ନୁହେଁ ଦର୍ଶାଇ ସରକାରୀ ଉପମୁଖ୍ୟ ସଚେତକଙ୍କୁ ଚିଠି ଲେଖିଲା କେନ୍ଦ୍ର କୃଷି ମନ୍ତ୍ରାଳୟ

56

କନକ ବ୍ୟୁରୋ : ରାଜ୍ୟର ଦାବିକୁ ଅଗ୍ରାହ୍ୟ କଲା କେନ୍ଦ୍ର । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର । ଦାବିକୁ ମନା କରି ରାଜ୍ୟ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ନିକଟକୁ ଚିଠି ଲେଖିଛି କେନ୍ଦ୍ର କୃଷିମନ୍ତ୍ରାଳୟ । ଏମଏସପି ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଦାବି ଯଥାର୍ଥ ନୁହେଁ ବୋଲି କେନ୍ଦ୍ର ଚିଠିରେ ଉଲ୍ଲେଖ କରିଛି । ଚାଷୀଙ୍କୁ ଯଦି ଏମଏସପି ପୋଷାଉ ନାହିଁ ତେବେ ଚାଷୀ ଖୋଲା ବଜାରରେ ନିଜର ଧାନ ବିକ୍ରି କରନ୍ତୁ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟ କହିଛି । ଯାହାକୁ ଦୃଢ ନିନ୍ଦା କରିଛି ବିଜେଡି । ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରର ଆଭିମୁଖ୍ୟ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ବିଧାୟକ ରୋହିତ ପୂଜାରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ନାହାନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ ଆଣିଛି । ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ନିର୍ବାଚନ ପ୍ରଚାର ବେଳେ ମୋଦି କହିଥିଲେ, ଚାଷୀଙ୍କୁ ଦିଆଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଦେଢ଼ ଗୁଣ ବଢ଼ାଇ ଦିଆଯିବ । କେନ୍ଦ୍ର ସରକାର ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରା କରି ନାହାଁନ୍ତି। ଧାନ ଓଡ଼ିଶାର ଚାଷୀମାନଙ୍କ ପ୍ରମୁଖ ଫସଲ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଉପଯୁକ୍ତ ପରିମାଣରେ ଏମଏସପି ଦେଉ ନାହାଁନ୍ତି ।

ଓଡ଼ିଶାର ଚାଷୀମାନଙ୍କୁ ଉପଯୁକ୍ତ ଏମଏସପି ନମିିଳିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ । ଚାଷୀଙ୍କର ଲାଭାର୍ଥେ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୂପ ଭାବେ ବିଜୁ ଜନତା ଦଳ ଚାଷୀମାନଙ୍କର ହକ୍ ହାସଲ ପାଇଁ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରିଆସୁଛି ।