ସରକାର କିଣିବେ ବିଦ୍ୟୁତ୍ ଚାଳିତ କାର୍ ! ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି ଗାଡ଼ି କିଣିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର

42

କନକ ବ୍ୟୁରୋ: କେନ୍ଦ୍ର ସରକାର କିଣିବେ ହଜାରେ ଇଲେକ୍ଟ୍ରିକ୍ କାର । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି କାର କିଣିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ବିଦ୍ୟୁତ୍ ଚାଳିତ ଗାଡ଼ିର ପ୍ରୋତ୍ସାହନ ପାଇଁ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତୈଳ ଇନ୍ଧନ ଚାଳିତ ଗାଡ଼ିର ବ୍ୟବହାରକୁ କମାଇ ବିଦ୍ୟୁତ୍ ଚାଳିତ ଗାଡ଼ି ସେଗମେଂଟକୁ ପ୍ରୋତ୍ସାହନ ଦେବାକୁ ସରକାର ଏହି ଯୋଜନା କରିଛନ୍ତି ।

ଛଅ ମାସ ମଧ୍ୟରେ ଦିଲ୍ଲୀରେ ବ୍ୟାଟେରୀ ଚାର୍ଜ ଦ୍ୱାରା ପରିଚାଳିତ ୧୦ହଜାର ଗାଡି ପ୍ରବେଶ କରାଇବା ଲକ୍ଷ୍ୟରେ ରହିଛି ସରକାରଙ୍କ ଦ୍ୱାରା ପରିଚାଳିତ ଏନର୍ଜି ଏଫିସିଏନସି ସର୍ଭିସ ଲିମିଟେଡ୍ । ସେଥିପାଇଁ ୪ହଜାର ଚାର୍ଜିଂ ଷ୍ଟେସନର ବ୍ୟବସ୍ଥା କରିବାର ଯୋଜନାରେ ରଖିଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ।

କମ୍ପାନୀର ଅଧ୍ୟକ୍ଷ ସୌରଭ କୁମାର ସୂଚନା ଦେଇ କହିଛନ୍ତିି ପ୍ରଥମେ କମ୍ପାନୀ ହଜାରେ ଫୋର ଡୋର ବିଶିଷ୍ଟ ବିଦ୍ୟୁତ୍ ଚାଳିତ ଗାଡ଼ି ବଜାର ପ୍ରବେଶ କରାଇବାର ଲକ୍ଷ୍ୟରେ ରହିଛି । ଏହି ଗାଡ଼ିଗୁଡିକ ଥରେ ଚାର୍ଜ ହେଲେ ୧୨୦ରୁ ୧୫୦ କଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ଏହି ଗାଡ଼ି ଉଭୟ ପ୍ରଦୂଷଣ ଓ ଅର୍ଥ ସଂଚୟ କରିବାରେ ସହାୟକ ହେବ ବୋଲି କହିଛନ୍ତି ସୌରଭ ।