କେନ୍ଦ୍ରୀୟ ଅବହେଳା ନା ରାଜ୍ୟର ଅପାରଗତା ? ୫୧ଟି କେନ୍ଦ୍ରୀୟ ଯୋଜନା ପାଇଁ ଟଙ୍କାଟିଏ ବି ମିଳିନି

38

କନକ ବ୍ୟୁରୋ : ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କର ନୂଆ ପୁରୁଣା ମିଶାଇ ୮୭ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରହିଛି । ଏଥମଧ୍ୟରୁ ୫୧ଟି ଯୋଜନା ବାବଦରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ପାଇଁ ଟଙ୍କାଟିଏ କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ଅବଶିଷ୍ଟ ୩୬ଟି ଯୋଜନା ବାବଦରେ ପ୍ରଥମ କିସ୍ତି ଅର୍ଥ ମଧ୍ୟ ପୂର୍ଣ୍ଣ ମାତ୍ରାରେ ଦେଇନାହାନ୍ତି କେନ୍ଦ୍ର ସରକାର । ଏହା କେନ୍ଦ୍ରୀୟ ଅବହେଳା ନା ଅନ୍ୟ କିଛି ? ଆର୍ଥିକ ଅଭାବ ସତ୍ତ୍ୱେ କିଛି ଯୋଜନାକୁ ଯାହିତାହି ଚଳାଇନେବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଆବଶ୍ୟକ ଅନୁଦାନ ଅଭାବରୁ ଯେଉଁ ବିଭାଗଗୁଡ଼ିକର କାର୍ଯ୍ୟ ବସ୍ତୁତଃ ଠପ୍ ହୋଇଯାଇଛି, ସେ ନେଇ ମନ୍ତ୍ରୀ ବା ସଚିବସ୍ତରରେ ତନାଘନା ଦେଖିବାକୁ ମିଳୁନାହିଁ ।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଆକଳନ ଅନୁଯାୟୀ ୮୭ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ମଧ୍ୟରୁ ୩୬ଟି ଯୋଜନାରେ ପ୍ରଥମ ତ୍ରୈମାସିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ତା’ ପୁଣି ପୂର୍ଣ୍ଣ ମାତ୍ରାରେ ନୁହେଁ । କିନ୍ତୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ସମନ୍ଵିତ ଶିଶୁବିକାଶ ସେବା ଅଧୀନ ସପ୍ଳିମେଣ୍ଟାରି ନ୍ୟୁଟ୍ରିସନ ପ୍ରୋଗ୍ରାମ, ଜାତୀୟ ମହିଳା ସଶକ୍ତୀକରଣ ଯୋଜନା, ରୋଡ୍ସ ଆଣ୍ଡ ବ୍ରିଜ୍ସ (ସିଆରଏଫ୍), ମଧ୍ୟମ ଜଳସେଚନ (ଏଆଇବିପି), ଏନଏମଏସଏ, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ଏନସିଆରଏମପି, ମାଓ ଉପଦ୍ରୁତ ଅଞ୍ଚଳରେ ରାସ୍ତା ପୁନଃନିର୍ମାଣ ଯୋଜନା ଆଦି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ବାବଦରେ ଟଙ୍କାଏ ବି ଦେଇନାହିଁ କେନ୍ଦ୍ର ।

ବିଭାଗୀୟ ସୂଚନାନୁସାରେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ନିମନ୍ତେ ରାଜ୍ୟ ସରକାର ବାର୍ଷିକ ଯୋଜନା କରିଛି । ଏ ବାବଦରେ ୪୨୪ କୋଟି ୫୩ ଲକ୍ଷ ୨ ହଜାର ଟଙ୍କାର ବଜେଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ଆଦୌ ଅନୁଦାନ ପ୍ରଦାନ କରିନଥିବାରୁ ରାଜ୍ୟ ନିଜସ୍ୱ ସମ୍ବଳରୁ ଯୋଜନା କାର୍ଯ୍ୟକାରୀ କରୁଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ୨୨ଟି ନିର୍ମାଣାଧୀନ ସେତୁ, ୧୧ଟି ନିର୍ମାଣାଧୀନ ରାସ୍ତା, ୧୭ଟି ନୂଆ ରାସ୍ତା ପ୍ରକଳ୍ପ ସହିତ ୨ଟି ନୂଆ ସେତୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ୫୦୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏ ବାବଦରେ କେନ୍ଦ୍ର ପକ୍ଷରୁ ପ୍ରଥମ କିସ୍ତିରେ ଟଙ୍କାଏ ବି ମିଳିଲାନି। ସେହିପରି ସମନ୍ଵିତ ଶିଶୁ ଉନ୍ନୟନ ସେବା ଅଧୀନ ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ(ଏସଏନପି)ରେ ୪୦୦ କୋଟି ୧୯ ଲକ୍ଷ ଟଙ୍କାର ବାର୍ଷିକ ବଜେଟ୍ ପ୍ରସ୍ତୁତ କରାଯାଇଥିଲେ ବି କେନ୍ଦ୍ର ଅଦ୍ୟାବଧି ଆଦୌ ତା’ର ଅଂଶଧନ ଦେଇନାହିଁ ।

ଏହିପରି ଆହୁରି ଅନେକ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ରହିଛି, ସେ ବାବଦରେ କେନ୍ଦ୍ର ସରକାର ଏପ୍ରିଲ୍-ଜୁନ୍ ତ୍ରୈମାସିକ ଅବଧି ନିମନ୍ତେ ଅନୁଦାନ ଦେଇନାହାନ୍ତି । ତେବେ କେନ୍ଦ୍ରୀୟ ଅନୁଦାନ ମିଳିଲେ, ତାହା ଭରଣା କରାଯିବ ବୋଲି ଯୋଜନା ଓ ସଂଯୋଜନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ କିଛି ଯୋଜନା ରହିଛି ସେ ବାବଦରେ କେନ୍ଦ୍ରୀୟ ଅନୁଦାନ ନ ମିଳିଲେ ସେଗୁଡ଼ିକ ଠପ୍ ହୋଇଯିବ ।

ଗତବର୍ଷ ଜଳସେଚନ, ପାନୀୟଜଳ ବାବଦରେ ବଜେଟ୍ ମୁତାବକ କେନ୍ଦ୍ରୀୟ ଅନୁଦାନ ମିଳିନଥିଲା । ଏଣୁ ଅନେକ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥିବା ସେ ସୂଚାଇଛନ୍ତି । ବିଶେଷ କରି କେନ୍ଦ୍ରୀୟ ଅନୁଦାନ ଉପରେ ଓଡ଼ିଶା ଭଳି ରାଜ୍ୟ ନିର୍ଭରଶୀଳ । ମୋଦି ସରକାରଙ୍କ ସମୟରେ କେନ୍ଦ୍ର ସରକାରଙ୍କ ଅନୁଦାନ ଅନୁପାତ ହ୍ରାସ ପାଇଥିବାରୁ ରାଜ୍ୟ ଉପରେ ଏହା ବୋଝ ସଦୃଶ ହୋଇଛି ।

ଏଭଳି ସ୍ଥିତି ଯୋଗୁଁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ପ୍ରଭାବିତ ହେଉଛି । ଖର୍ଚ୍ଚ କମିଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବମାନଙ୍କୁ ତାଗିଦ୍ କରୁଛନ୍ତି । ହେଲେ ଆଗକୁ କେନ୍ଦ୍ର ଅନୁଦାନ ଦେଲେ ଏବଂ ମୌସୁମୀ ଯିବା ପରେ ଖର୍ଚ୍ଚ ହାର ବଢ଼ିବ ଦର୍ଶାଇ ସଚିବମାନେ ଉଦାସୀନ ରହିଥିବା ପରିଲକ୍ଷିତ ହେଉଛି । ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ରହିଛି । କମିସନରଙ୍କ ମୁଖ୍ୟ କାର୍ଯ୍ୟ ହେଉଛି କେନ୍ଦ୍ର-ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଯୋଗାଯୋଗ କରି ସମସ୍ୟାର ସମାଧାନ କରାଯିବ । ସେହିପରି ବାବୁମାନେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି । କିନ୍ତୁ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମିଳିନଥିବା ସଂପର୍କରେ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ କିମ୍ବା ବିଭାଗୀୟ ମୁଖ୍ୟଙ୍କ ଉପରେ ଚାପ ପକାଉଥିବା ମନେ ହେଉନାହିଁ ।