ସୀମା ସିଲ ପାଇଁ ସବୁ ରାଜ୍ୟ ଓ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଲକଡାଉନ କଡାକଡି ଭାବେ ପାଳନ ହେଉ, ଫେରୁଥିବା ପ୍ରବାସୀଙ୍କୁ ସୀମାରେ ଅଟକାଯାଉ । ରାଜପଥରେ ବୁଲୁଥିବା ଲୋକଙ୍କ ଉପରେ ରଖାଯାଉ କଡା ନଜର ।

9,688

କନକ ବ୍ୟୁରୋ: ସିଲ ହେବ ସବୁ ସୀମା । ଦେଶର ସବୁ ରାଜ୍ୟ ସହ ଜିଲ୍ଲାର ସୀମା ସିଲ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ତାଲାବନ୍ଦ ସମୟରେ ପ୍ରତି ରାଜ୍ୟର ସୀମା ସିଲ କଲେ ବାହାର ରାଜ୍ୟରୁ କୌଣସି ଲୋକ ପ୍ରବେଶ କରିପାରିବେନି । ସେହିପରି ସବୁ ଜିଲ୍ଲାମାନଙ୍କର ସୀମା ସିଲ ଫଳରେ ବାହାର ଜିଲ୍ଲାର ଲୋକେ ଅନ୍ୟ ଜିଲ୍ଲାକୁ ପ୍ରବେଶ କରି ପାରିବେନି । ଫଳରେ ସଂକ୍ରମଣର ଆଶଙ୍କା କମିଯିବ । ତାଲାବନ୍ଦ ଦେଶ ପାଇଁ ବହୁତ ଜରୁରୀ । ତେଣୁ ତାଲାବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ହେଲେ ସୀମା ସିଲ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସମିଟରେ କୁହାଯାଇଛି ।

ତେବେ ସୀମା ସିଲ ନେଇ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି କେମିତି ଏହାର ପରିଚାଳନା କରିବେ ସେ ଦାୟିତ୍ୱ ସେମାନେ ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି ଜ୍ଝ ଏହା ସହ, ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଗାଁ ଅଭିମୁଖେ ବାହାରି ସାରିଛନ୍ତି, ସେମାନେ ପହଂଚିବା ପରେ ସେମାନଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରବାସୀ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏପରିକି ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି କରିବାକୁ କେହି କହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିପିକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ କରୋନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ଏହା ବ୍ୟତିତ କରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବାକୁ ଆହ୍ୱାନ ଦିଆଯାଇଛି । ଅନ୍ୟପଟେ କରୋନା ପୀଡିତଙ୍କ ପାଇଁ ବେଡ ସଂଖ୍ୟା ବଢାଇବାକୁ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ୪୭ ଘରୋଇ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ମଞ୍ଜୁରୀ ମିଳିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।