ଆଜି ଦିଲ୍ଲୀରେ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବେ କେନ୍ଦ୍ର ସରକାର : ଗୋଟିଏ ମଂଚରେ ଏକାଠି ହେବେ ନବୀନ-ଧର୍ମେନ୍ଦ୍ର

36

କନକ ବ୍ୟୁରୋ : ଆଜି ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେବ । ଏଥିପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତେବେ ଗୋଟିଏ ମଂଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଉତ୍ସବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ବି ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଂଚଳର ପାଇକ ପରିବାରର ୧୫୭ ଜଣ ଦାୟାଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ୨ ହଜାରରୁ ଅଧିକ ଲୋକ ମଧ୍ୟ ଯୋଗ ଦେବେ ।

ଏପଟେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ଜୋର ଧରିଛି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଦର୍ଶାଇଛନ୍ତି ଯେ, ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଓଡିଶାରେ ପାଇକ ବିଦ୍ରୋହ ହୋଇଥିଲା । ତେଣୁ ୨ ଶହ ବର୍ଷ ପୂର୍ତ୍ତି ଅବସରରେ ଏହି ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାର ପ୍ରକୃଷ୍ଟ ସମୟ ଏବେ ଆସିଛି । ଏ ବାବଦରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇସାରିଛି । କେନ୍ଦ୍ର ଏ ବାବଦରେ ଏବେ ଚିନ୍ତା କରିବାର ବେଳ ଆସିଛି ।