ମହାନଦୀ ବିବାଦ ନେଇ କେନ୍ଦ୍ରର ଷଡଯନ୍ତ୍ରର ଗନ୍ଧ ବାରିଛି ଶାସକ ବିଜେଡି !

31

କନକ ବ୍ୟୁରୋ : ମହାନଦୀ ବିବାଦ ନେଇ କେନ୍ଦ୍ରର ଷଡଯନ୍ତ୍ରର ଗନ୍ଧ ବାରିଛି ଶାସକ ବିଜେଡି । କହିଛି, ମହାନଦୀ ବିବାଦର ସମାଧାନ ପାଇଁ କମିଟି ଗଠନ ହେବା ଫଳରେ ଟ୍ରିନ୍ୟୁନାଲ ଗଠନ ବିଳମ୍ବ ହେବ ଓ ଏହି ସମୟରେ ମହାନଦୀ ଉପରେ ଚାଲିଥିବା ନିର୍ମାଣ କାମ ସରିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ନବୀନ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ମହାନଦୀ ବୁଝାମଣା କମିଟି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ଚିଠିରେ ଉଲ୍ଲେଖ କରିଛନ୍ତି, ମହାନଦୀ ଜଳ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ବିବାଦ ପାଇଁ ଏଭଳି ବୁଝାମଣା କମିଟି ନୁହେଁ ଟ୍ରିବ୍ୟୁନାଲ ଆବଶ୍ୟକ ।

କେନ୍ଦ୍ର ସରକାର କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସ୍ତରୀୟ କମିଟି ଗଢିବା ବଦଳରେ ସରକାର ଅଧିନସ୍ଥ ଏକ ବିଭାଗ ନେତୃତ୍ୱରେ ଏହି କମିଟି ଗଢିବା ଗ୍ରହଣୀୟ ହେଉନାହିଁ ବୋଲି ନବୀନ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଏହାକୁ ସେ ଅଧିକ କ୍ରିୟାଶୀଳ କରିପାରିନଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୋଦି ବୈଠକ ଡାକିଲେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ନବୀନ ଜଣାଇଛନ୍ତି ।