କେନ୍ଦ୍ର କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଚାଷୀମାନେ କରୁଛନ୍ତି ଆନ୍ଦୋଳନ । 

35

ଗତକାଲି ଠାରୁ ବିଭିନ୍ନ ଦାବି ନେଇ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୧୩୦ଟି କୃଷକ ସଂଗଠନ ଆନ୍ଦୋଳନରେ ବସିଛନ୍ତି । ଏବଂ ଏହାରି ଭିତରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ପାଟନା ଠାରେ ଆୟୋଜିତ ଏକ ସଭାରେ ଆନ୍ଦୋଳନରତ ଥିବା ଚାଷୀମାନଙ୍କୁ ତାତ୍ସଲ୍ୟ କରିବା  ସହ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଆନ୍ଦୋଳନ କରୁଛନ୍ତି ଚାଷୀ । ଏହାସହ ଯୁକ୍ତି ବାଢ଼ିଛନ୍ତି ଯେ କେନ୍ଦ୍ର ସରକାର ମଧ୍ୟପ୍ରଦେଶର କୃଷକମାନଙ୍କ ପାଇଁ ଅଧିକ ସୁବିଧା ଯୋଗାଇ ଦେଇଛନ୍ତି । ଦେଶରେ ଏମିତି କୋଟି କୋଟି କୃଷକ ଅଛନ୍ତି ତେଣୁ ଯେଉଁ କୃଷକମାନେ ଆନ୍ଦୋଳନ କରୁଛନ୍ତି ତାହାର ଯର୍ଥାତ କିଛି ନାହିଁ ।

ସେପଟେ ରାଷ୍ଟ୍ରୀୟ କୃଷକ ସଂଘ ତରଫରୁ ଗତକାଲି ଠାରୁ ‘ଗାଁ ବନ୍ଦ’ ଆନ୍ଦୋଳନର ଡାକରା ଦିଆଯାଇଛି । କୃଷକ ମହାସଂଘର ସଭାପତି ରବି କୁମାରଙ୍କ ସୂଚନା ମୁତାବକ ଏହି ଆନ୍ଦୋଳନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସହର ଅଭିମୂଖେ ଗାଁରୁ ଆସୁଥିବା ଫଳ, ପନିପରିବା ଓ କ୍ଷୀର ଭଳି ଚାଷ ଉତ୍ପାଦିତ ଦ୍ରବ୍ୟକୁ ପଠାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ମହାସଂଘ । ଅପରପକ୍ଷେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏଭଳି ବୟାନ ଆନ୍ଦୋଳନକୁ ତୀବ୍ର କରିଦେବ ବୋଲି ଆଶଙ୍କା କରାଯାଉଛି ।

କେବଳ ଏତିକି ନୁହେଁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ପ୍ରତିକ୍ରିୟା ରଖିଛନ୍ତି ଯେ, ଦେଶରେ ୧୨-୧୪ କୋଟି କୃଷକମାନେ ଅଛନ୍ତି  । କୌଣସି ସଂଗଠନରେ ଏକ ହଜାରରୁ ୨ ହଜାର ପ୍ରକୃତ ଚାଷୀମାନଙ୍କୁ ଛାଡି ଦେଲେ ଅନ୍ୟସବୁ ଗଣମାଧ୍ୟମ ସମ୍ମୁଖକୁ ଆସିବା ପାଇଁ ଏଭଳି କାର୍ଯ୍ୟ ପନ୍ଥା ଆପଣାଉଛନ୍ତି ବୋଲି ମନ୍ତବ୍ୟ ରଖିଛନ୍ତି  । ଏହି ଆନ୍ଦୋଳନ କିଶାନର ବିକାଶ ନୁହେଁ ବରଂ କିଶାନ ଅବକାଶ ଆନ୍ଦୋଳନ ଚାଲିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ । ତେବେ ଏଭଳି ବିବାଦୀୟ ମନ୍ତବ୍ୟ ହୁଏତ ବିରୋଧୀଙ୍କୁ ଫାଇଦା ଦେବ । କାରଣ ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀମାନେ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଜନ ଅସନ୍ତୋଷର ଶିକାର ହୋଇଛନ୍ତି । ରାଧାମୋହନଙ୍କ ଏଭଳି ବୟାନ ରାଜନୈତିକ ମହଲରେ ତୁମ୍ଭି ତୋଫାନ ଉଠାଇବା ନେଇ ଏକ ପ୍ରକାର ଆଭାସ ମିଳିଲାଣି ।