ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କଲା କେନ୍ଦ୍ର ! ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଲା, ଆପୋଷ ସମାଧାନ କରନ୍ତୁ ଓଡ଼ିଶା ଓ ଛତିଶଗଡ

30

କନକ ବ୍ୟୁରୋ : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କଲା କେନ୍ଦ୍ର । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଓଡ଼ିଶା ଓ ଛତିଶଗଡ ଆପୋଷ ସମାଧାନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ତେବେ ଦୀର୍ଘ ଦେଢ ବର୍ଷ ହେବ ମହାନଦୀ ଜଳ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ଓଡିଶାକୁ ନ ଜଣାଇ ଛତିଶଗଡ ବ୍ୟାରେଜ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଭୟ ଓଡିଶା ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଆଲୋଚନା କରିଲେ । ହେଲେ ଏହା ବିଫଳ ହୋଇଥିଲା । ଗତ ପଂଚାୟତ ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର ପାଇଁ ଆସିଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏହି ବିବାଦ ନେଇ ମୁହଁ ଖୋଲିଥିଲେ ।

ଉଭୟ ରାଜ୍ୟ ବସି ଆପୋଷ ସମାଧାନ କରି ପାରିବେ ବୋଲି ସେ ଓଡିଶା ସରକାରଙ୍କୁ ଆହ୍ୱାନ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । ସୁପ୍ରିମକୋର୍ଟ ନଭେମ୍ବର ୧୯ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ଗଡି ଚାଲିଲା । କେନ୍ଦ୍ରରୁ ନା କିଛି ଜବାବ ଆସିଲା ନା ଗଠନ ହେଲା ଟ୍ରିବ୍ୟୁନାଲ୍ । ଆଉ ଏବେ ପୁଣି ଛତିଶଗଡକୁ ସୁହାଇବା ପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁ ନଥିବା ଚର୍ଚ୍ଚା ଜୋର ଧରିଛି ।