ମୋଦିଙ୍କ ପାଇଁ ସଂଜୀବନୀ ଶେଷ ବଜେଟ୍ ! ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଖୁସି କରିବାକୁ ମୋଦି ଖେଳିଲେ ବାଜି ।

ଲୋକସଭାରେ ଆଗତ ହୋଇଥିବା ୨୦୧୯-୨୦ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଦ୍ୱାରା ବିଭିନ୍ନ ବର୍ଗକୁ ଖୁସି କରିବାକୁ ଗୋଟିଚାଳନା କରିଛନ୍ତି ମୋଦି ସରକାର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

437

କନକ ବ୍ୟୁରୋ: ଆସନ୍ତା ନିର୍ବାଚନ ପାଇଁ କେନ୍ଦ୍ରୀୟ ରାଜନୀତି ସରଗରମ ହୋଇଥିବାବେଳେ କେନ୍ଦ୍ର କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଛାଡ଼ିଛନ୍ତି ନିର୍ବାଚନୀ ଥୋପ । ଲୋକସଭାରେ ଆଗତ ହୋଇଥିବା ୨୦୧୯-୨୦ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଦ୍ୱାରା ବିଭିନ୍ନ ବର୍ଗକୁ ଖୁସି କରିବାକୁ ଗୋଟିଚାଳନା କରିଛନ୍ତି ମୋଦି ସରକାର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ମଧ୍ୟମ ବର୍ଗ ଓ ଚାଷୀକୂଳଙ୍କୁ ନେଇ ବଡ଼ ବାଜି ଖେଳିଛନ୍ତି ମୋଦି ସରକାର ।

ନିର୍ବାଚନୀ ବୈତରଣୀ ପାର ହେବାକୁ ମୋଦି ସରକାର ଥୋପ ଛାଡ଼ିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିବାବେଳେ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ଏହି ବଜେଟରେ ଦେଶବାସୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଛନ୍ତି ମୋଦି ସରକାର । ଦେଶର ୧୨ କୋଟି ଗରିବ କୃଷକଙ୍କୁ ଖୁସି କରିବା ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ’ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନା ମୁତାବକ ୨ ହେକ୍ଟର ପର୍ୟ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ।

ସେହିଭଳି ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିôବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ନିର୍ବାଚନୀ ମାହୋଲ ଗରଥିବାବେଳେ ମୋଦି ସରକାରଙ୍କ ଏଭଳି ବଜେଟରେ ବିଭିନ୍ନ ଘୋଷଣା କେବଳ ଘୋଷଣାରେ ରହିଯିବ ବୋଲି ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବଜେଟର ବିଭିନ୍ନ ଘୋଷଣାର କାର୍ଯ୍ୟକାରିତା ଏବେ ବି ରହସ୍ୟମୟ ହୋଇରହିଛି । ଦେଶବାସୀଙ୍କୁ କେବଳ ନିର୍ବାଚନୀ ଥୋପ ଦେବା ପାଇଁ ଏଭଳି ବଜେଟ ଆଣିଛନ୍ତି ମୋଦି ସରକାର ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଗତକାଲି ବେକାରୀ ସଂଖ୍ୟା ବୃଦ୍ଧି ନେଇ ବିରୋଧୀମାନେ ମୋଦି ସରକାରଙ୍କୁ ଘେରିଥିବାବେଳେ ଏଭଳି ବଜେଟ ଆଣି ଦେଶବାସୀଙ୍କ ମନ ଜିଣି ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଗୋଟିଚାଳନା କରିଛନ୍ତି ମୋଦି ସରକାର ।