ରୋହିଙ୍ଗ୍ୟା ମୁସଲମାନ୍ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ! ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାରଙ୍କ

24

କନକ ବ୍ୟୁରୋ : ରୋହିଙ୍ଗ୍ୟା ମୁସଲମାନ୍ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ । ଅନେକ ରୋହିଙ୍ଗ୍ୟା ମୁସଲମାନ୍ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପୃକ୍ତ । ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଗତକାଲି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମଧ୍ୟରେ ଥିବା ଆତଙ୍କବାଦୀମାନେ ଦିଲ୍ଲୀ, ହାଇଦରାବାଦ, ମେଓ୍ଵାର ଏବଂ ଜମ୍ମୁରେ ସକ୍ରିୟ ରହିଥିବା ସରକାର କୋର୍ଟଙ୍କୁ ଜଣାଇଛନ୍ତି । ଗତକାଲି କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ ପରେ ସୁପ୍ରିମ୍‌ କୋର୍ଟ ଏ ବାବଦରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ ତାରିଖ ଦିନ କରିବେ ବୋଲି ଜଣାପଡ଼ିଛି ।

ଭାରତରେ ରହିଥିବା ପ୍ରାୟ ୪୩ ହଜାର ରୋହିଙ୍ଗ୍ୟା ମୁସଲମାନଙ୍କ ମଧ୍ୟରୁ ଅନେକ ବେଆଇନ ଭାବେ ଭୋଟର ପରିଚୟ ପତ୍ର ଏବଂ ପାନ୍‌ କାର୍ଡ ହାସଲ କରିଥିବା ଜଣାପଡ଼ିଛି। ଭାରତର ସୀମା ସୁରକ୍ଷିତ ନଥିବାରୁ ସେମାନେ ବହୁ ସଂଖ୍ୟାରେ ଦେଶରେ ପ୍ରବେଶ କରିଛନ୍ତି ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ଅର୍ଥ ସଂଗ୍ରହ ନିମନ୍ତେ ହାଓ୍ଵଲା ରାସ୍ତା ଆପଣାଇଛନ୍ତି । ମିଆଁମାରରୁ ଆସିଥିବା ବହୁ ରୋହିଙ୍ଗ୍ୟ ଶରଣାର୍ଥୀ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ବ୍ୟାପକ ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ରହିଛନ୍ତି । ଗୃହ ମନ୍ତ୍ରାଳୟ ଦ୍ୱାରା ଦାଖଲ ହୋଇଥିବା ୧୫ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ ସମ୍ବିଧାନର ଧାରା ୧୯ ଅନୁଯାୟୀ ଦେଶର କୌଣସି ଅଂଶରେ ସ୍ଥାୟୀ ଭାବେ ବସବାସ କରିବା ଏବଂ ମୁକ୍ତ ବିଚରଣ କରିବାର ମୌଳିକ ଅଧିକାର କେବଳ ଦେଶର ନାଗରିକଙ୍କୁ ଉପଲବ୍ଧ ।

ଏହି ଅଧିକାର ପାଇବା ପାଇଁ କୌଣସି ବେଆଇନ ଶରଣାର୍ଥୀ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ନ୍ୟାୟ ଦାବିsupreme-court କରିପାରିବେ ନାହିଁ । ତେବେ ସରକାରଙ୍କ ଏହି ଯୁକ୍ତିକୁ କଂଗ୍ରେସ ବିରୋଧ କରିଛି। ମିଆଁମାର୍‌ ସଙ୍କଟର ସମାଧାନ ନହେବା ପର୍ୟ୍ୟନ୍ତ ଶରଣାର୍ଥୀମାନଙ୍କୁ ଭାରତ ଆଶ୍ରୟ ଦେବା ଆବଶ୍ୟକ ବୋଲି କଂଗ୍ରେସ କହିଛି । ଭାରତରେ ରହିଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ସଂପର୍କରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ରିପୋର୍ଟ ମଧ୍ୟ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି । ଦୁଇ ଜଣା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ମାନବୀୟ ଦୃଷ୍ଟିକୋଣରୁ ଶରଣାର୍ଥୀଙ୍କୁ ଭାରତ ଆଶ୍ରୟ ଦେବାପାଇଁ ଦାବି କରି ହୋଇଥିବା ଆବେଦନକୁ ଆଧାର କରି କୋର୍ଟ ଏ ବାବଦରେ କେନ୍ଦ୍ରକୁ ଜବାବ ମାଗିଥିଲେ । ଭାରତରେ ରହିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୬,୦୦୦ ଜାତିସଂଘ ଶରଣାର୍ଥୀ ସୂଚୀରେ ସାମିଲ ଥିବା ଜଣାପଡ଼ିଛି ।