ବ୍ରହ୍ମପୁରରୁ କଟକ ଆସୁଥିବା ବସରୁ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ କଲା ସେଲ ଟ୍ୟାକ୍ସ ବିଭାଗ

124

କନକ ବ୍ୟୁରୋ : ସରକାରୀ ବସରୁ ମିଳିଲା ବସ୍ତା ବସ୍ତା ଗୁଟଖା । ବ୍ରହ୍ମପୁରରୁ କଟକ ଆସୁଥିବା ବସରୁ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ କରିଛି ସେଲ ଟ୍ୟାକ୍ସ ବିଭାଗ । ଜବତ ଗୁଟଖାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ । ଜିଏସଟି ଫାଙ୍କିବାକୁ ସରକାରୀ ବସରେ ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ୩୬ ବସ ଗୁଟଖା ବସ୍ତା ସିଜ କରିଛି ସେଲ ଟ୍ୟାକ୍ସ ବିଭାଗ ।


ସରକାରୀ ବସରେ ଗୁଟଖା ଚାଲାଣ ହେଉଥିବା ନେଇ ସେଲ ଟ୍ୟାକ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ସୂଚନା ପାଇ ବସରେ ଚଢ଼ାଉ କରିଥିଲା ସେଲ ଟ୍ୟାକ୍ସ ବିଭାଗ । କଟକକୁ ଏସବୁ ଗୁଟଖା ଆସୁଥିବା ସୂଚନା ମିଳିଛି। ବସ୍ର କଣ୍ଡକ୍ଟର କହିଛନ୍ତି, ବସ୍ତାରେ ଗୁଟଖା ଥିବା ନେଇ ସେ ଅବା ଅନ୍ୟ ବସ୍ କର୍ମଚାରୀ ଜାଣି ନଥିଲେ । ସାଧା ପୁଡ଼ିଆ ପ୍ୟାକେଟ୍ ଅଛି ବୋଲି ସେମାନଙ୍କୁ କୁହଯାଇଥିଲା। ତେଣୁ ସେମାନେ ବସ୍ତାଗୁଡ଼ିକୁ ବସରେ ଚଢ଼ାଇବାକୁ ଅନୁମତି ଦେଇଥିଲେ । ଏନେଇ ସେଲ ଟ୍ୟାକ୍ସ ବିଭାଗ କର୍ମଚାରୀ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।