ଛତୁଆ ଦୁର୍ନୀତିରେ ଲାଂଚ କାରବାରର ଆଉ ଏକ ନମୂନା ! ଏସଏଚଜି ଗ୍ରୁପଠାରୁ ୫୦ ହଜାର ଲାଂଚ ନେଇ ଧରାପଡ଼ିଲେ ଭୁବନେଶ୍ୱର ଗ୍ରାମାଚଂଳ ସିଡିପିଓ

2,789

କନକ ବ୍ୟୁରୋ : ମହଙ୍ଗା ପଡିଲା ଛତୁଆ ପାଇଁ ଲାଂଚ ମାଗିବା । ଭିଜିଲାନ୍ସ ଜାଲରେ ଧରାପଡିଲେ ଭୁବନେଶ୍ୱର ଗ୍ରାମାଂଚଳ ସିଡିପିଓ । ସ୍ୱୟଂ ସହାୟକ ଗୋଷ୍ଠୀର ବକେୟା ବିଲ୍ ପାସ୍ ପାଇଁ ସିଡିପିଓ କବିତା ଛୋଟରାୟ ମାଗୁଥିଲେ ୫୦ ହଜାର ଟଙ୍କା । ଆଉ ଟଙ୍କା ନଦେଲେ ମାସ ମାସ ଧରି ପାସ୍ କରୁନଥିଲେ ବିଲ୍ । ଶେଷରେ ଆଜି ଲାଂଚ ନେବା ବେଳେ ମାଡାମଙ୍କୁ ଧରିଛି ଭିଜିଲାନ୍ସ ।

କବିତା ଛୋଟରାୟ । ଭୁବନେଶ୍ୱର ଗ୍ରାମାଂଚଳ ସିଡିପିଓ । ଲାଂଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଡାମ । ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁଙ୍କୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଛତୁଆ, ଏହି ମହିଳା ଅଧିକାରୀଙ୍କ ପାଇଁ ସାଜିଥିଲା ବେପାର । ସିଡିପିଓ ମାଡାମ୍ ପ୍ରତିଟି ବିଲ୍ ପାସ୍ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ପ୍ରତିଶତ ଲାଂଚ ଦାବି କରୁଥିଲେ । ଆଉ ଏହି ଲୋଭ ଆଜି ତାଂକୁ ପଠାଇଦେଇଛି ଜେଲ୍ ।

ମାଡାମଙ୍କ ମାଧ୍ୟମରେ ରାଜ୍ୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ ବଂଟନ କରନ୍ତି । ଜୟପୁର ଇଟିପୁର ପଂଚାୟତର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ଛତୁଆ ବାବଦରେ ୫ ଲକ୍ଷ ୬୦ ହଜାର ଟଙ୍କାର ବକେୟା ବିଲ୍ ଥିଲା । ଯାହାକୁ ପାସ୍ କରିବାକୁ ୧୦ ପ୍ରତିଶତ ଅର୍ଥାତ୍ ୫୦ ହଜାର ଟଙ୍କା ଲାଂଚ ମାଗୁଥିଲେ ସିଡିପିଓ । ଟଙ୍କା ନଦେଲେ ବିଲ୍ ପାସ୍ ହୋଇପାରିବ ନାହିଁ ବୋଲି ସଫା ସଫା କହିଥିଲେ ମାଡାମ୍ । ଶେଷରେ ସିଡିପିଓ ମାଡାମଙ୍କୁ ଧରାଇବାକୁ ପ୍ଲାନ କରିଥିଲେ ଏସଏଚଜି ଗ୍ରୁପ୍ । ରାଜ୍ୟରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଛତୁଆ ଘୋଟାଲା । ଆଉ ଏହେଉଛି ତାର ଏକ ଉଦାହରଣ ।