ସିସିଟିଭିରେ ଶଶୀକଳା ! କଏଦ୍ ହେଲା ଜେଲ୍ ବାହାରକୁ ଯିବାର ଚିତ୍ର . . କଣ ଆଇପିଏସ୍ ଡି. ରୂପା ସତ କହିଥିଲେ

74

କନକ ବ୍ୟୁରୋ : ଜେଲରେ ସଜା କାଟୁଛନ୍ତି ଶଶୀକଳା, ହେଲେ ଜିଉଁଛନ୍ତି ସାଧାରଣ ଜୀବନ । ଜେଲ୍ ବାହାରକୁ ଅନାୟାସରେ ଆସି ସପିଂ କରୁଛନ୍ତି । ଯାହାର ଚିତ୍ର କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ । ଜେଲ ଭିତରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇଁ ୨ କୋଟି ଟଙ୍କା ଲାଂଚ ଅଭିଯୋଗ ଆସିବା ପରେ ଏବେ ଜେଲ ବାହାରକୁ ଯାଉଥିବା ଖବର ସାମ୍ନାକୁ ଆସିଛି ।

ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ବୟାନ୍ କରୁଛି, ଜେଲର ବଡ ବଡ ପାଚୋରୀ ଡେଇଁ ଯିବା ଭିଆଇପିଙ୍କ ପାଇଁ କେତେ ସହଜ । ବଡ ଲୋକଙ୍କ ପାଇଁ କେମିତି ଖୋଲିଯାଏ ଗଳାବାଟ, ତାର ପ୍ରମାଣ ହେଉଛି ସେଂଟ୍ରାଲ ଜେଲର ଏହି ସିସିଟିଭି ଫୁଟେଜ୍ । ଯେଉଁ ଶଶୀକଳା, ଦୁର୍ନୀତି ଅଭିଯୋଗରେ ୪ବର୍ଷ ପାଇଁ ଜେଲରେ ସଜା କାଟୁଛନ୍ତି ବୋଲି ସମସ୍ତେ ଜାଣନ୍ତି, ହେଲେ ସେ ଖୁଲମଖୁଲା ବାହାରକୁ ଆସି ବଂଚୁଛନ୍ତି ସାଧାରଣ ଜୀବନ । ଜେଲ୍ ବାହାରୁ ଫେରିଛନ୍ତି ଶଶୀକଳା । ସାଥୀରେ ଅଛନ୍ତି ଶଶୀକଳାଙ୍କ ଜଣେ ସଂପର୍କୀୟ ଭଉଣୀ । ଜେଲ ୟୁନିଫର୍ମ ବଦଳରେ ସାଧାରଣ ଶାଢ଼ୀ ପିନ୍ଧି, ବ୍ୟାଗଟିଏ ଧରି ଜେଲକୁ ଫେରୁଛନ୍ତି ଶଶିକଳା । ଆଉ ଶଶୀକଳାଙ୍କ ପାଇଁ ଖୋଲିଯାଉଛି ଜେଲର ବନ୍ଦ ଦ୍ୱାର ।

ଜେଲ୍ ଭିତରେ ଶଶୀକଳାଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦିଆଯାଉଥିବା ନେଇ ଅଭିଯୋଗ କରିବା ସହ ପ୍ରମାଣ ଆକାରରେ ଏହି ସିସିଟିଭି ଫୁଟେଜ୍, ଆଂଟି କରର୍ପ୍ସନ୍ ବ୍ୟୁରୋକୁ ଦେଇଛନ୍ତି- ପୂର୍ବତନ ଜେଲ୍ ଡିଆଇଜି ଡି.ରୁପା ।
ଜେଲ୍ ଡିଜି କିନ୍ତୁ ଏହି ଘଟଣା ସଂପର୍କରେ କୌଣସି ତଥ୍ୟ ନଥିବା କହିଛନ୍ତି । ତେବେ ଜେଲ ଭିତରେ ଶଶୀକଳାଙ୍କୁ ସ୍ୱତନ୍ତ୍ର ସୁବିଧା ଦେବା ଅଭିଯୋଗ ଘଟଣାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆସିବା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଜେଲ ଡିଜି ।

ପୂର୍ବରୁ ଅଭିଯୋଗ ହେଉଥିଲା, ଏବେ ଏକ ପ୍ରକାର ପ୍ରମାଣ ମିଳିଛି । ଜେଲ ଭିତରେ ସତନ୍ତ୍ର ସୁବିଧା ଏବଂ ଚିନ୍ନାମାଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ନିର୍ମାଣ ପାଇଁ ଜେଲ କର୍ତୃପକ୍ଷଙ୍କୁ ୨କୋଟି ଟଙ୍କାର ଲଂଚ୍ ଦେବା ନେଇ ଏହା ପୂର୍ବରୁ ଅଭିଯୋଗ ହୋଇଥିଲା । ଯେଉଁ ଘଟଣାରେ ଜେଲ ଡିଜିଙ୍କ ସଂପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଥିଲା ।