ନୟାପଲ୍ଲୀରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଘଟଣା : ମିଳିଲା ମୃତକଙ୍କ ପରିଚୟ

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସିସିଟିଭିରେ ମର୍ଡର ଲାଇଭ୍ । କ୍ୟାମେରାରେ କଏଦ ହୋଇଛି ହତ୍ୟାକାଣ୍ଡର ଲାଇଭ ଫୁଟେଜ୍ । ଗତକାଲି ରାତିରେ ଭୁବନେଶ୍ୱର ନୂଆପଲ୍ଲୀ ଅଂଚଳରେ ଘଟିଥିବା ବର୍ବର ହତ୍ୟାକାଣ୍ଡର ଦୃଶ୍ୟ ଦେଖିଲେ ଛାତି ଥରିଯିବ । ନୂଆପଲ୍ଲୀ ଏନ-ସିକ୍ସ ଲେନରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ଜଣେ ଦୁର୍ବୃର୍ତର ଆକ୍ରମଣର ଶିକାର ହେଲେ, ତାର ଟିକି ନିଖି ଭିଜୁଆଲ କଏଦ ହୋଇଛି କ୍ୟାମେରାରେ ।

ହଠାତ ଜଣେ ଦୁର୍ବୃତ କାଠ ଫାଳିଆରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରୁଛି । ଗୋଟିଏ ଗୋଟିଏ ପାହାରରେ ତଳେ ପଡି ଯାଇଛନ୍ତି ଦୁଇ ଯୁବକ । ହେଲେ ଆକ୍ରମଣକାରୀ ଏତିକିରେ ଅଟକି ଯାଇନାହିଁ । ଅତି ନିର୍ଦ୍ଦୟ ଭାବେ ପାହାର ପରେ ପାହାର ବସାଇ ଚାଲିଛନ୍ତି ଦୁଇ ଜଣଙ୍କ ଉପରେ । ଦୁଇ ଜଣ ଛଟପଟ ହେଉଥିବା ବେଳେ ଖସି ପଳାଇଛି ଦୁର୍ବୃତ ଜଣକ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପିସିଆର ପହଁଚିବା ବେଳକୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତକ ଜଣକ ଗଣପତିନଗରର ବସନ୍ତ ପ୍ରଧାନ ଓ ଗୁରୁତର ବ୍ୟକ୍ତି ସାଲିଆସାହିର ଲମ୍ବୋଦର ବୋଲି ଜଣାପଡିଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।