ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ । ରାତି ଅଧିଆ ପରମିନ୍ଦରଙ୍କ ଘରେ ପହଞ୍ଚିଲେ ବିଧାୟକ ଓ ପୁଲିସ ଅଧିକାରୀ

ସେପଟେ ଅନନ୍ତ ଏବଂ ଅନୁପଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

943

କନକ ବ୍ୟୁରୋ: ଆକ୍ରମଣର ଶିକାର ପରବିନ୍ଦର ସିଂହଙ୍କ ଘରକୁ ରାତି ଅଧିଆ ବିଧାୟକ ଅନନ୍ତ ନାରାୟଣ ଜେନା, ଯିବାକୁ ନେଇ ଉଠିଲା ପ୍ରଶ୍ନ । ବିଳମ୍ବିତ ରାତିରେ ବିଧାୟକ କାହିଁକି ପରବିନ୍ଦରଙ୍କ ଘରକୁ ଯାଇଥିଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ପରବିନ୍ଦରଙ୍କୁ ସାନ୍ତ୍ୱନା ଦେବାକୁ ଯାଇଥିଲେ ତେବେ କାହିଁକି ରାତି ଅଧରେ ଯାଇଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଗତକାଲି ରାତିରେ ବିଧାୟକ ଅନନ୍ତ ନାରାୟଣ ଜେନା ପରବିନ୍ଦରଙ୍କ ଘରକୁ ପ୍ରାୟ ରାତି ଗୋଟାଏରେ ଯାଇ କବାଟ ବାଡେଇଥିଲେ । ତାଙ୍କ ସାଥିରେ ଥିଲେ ପୋଲିସ ଅଧିକାରୀ ଅନୁପ କାନୁନଗୋ ଓ ଶିଖ୍ ପ୍ରତିନିଧି ବୋର୍ଡର ସଦସ୍ୟ ସତପାଲ ସିଂ ଯାଇଥିଲେ । କିନ୍ତୁ ଆକ୍ରମଣକାରୀଙ୍କୁ ଗିରଫ ପରେ ଜାମିନ ମିଳିଥିବାରୁ ଏଥିରେ ଭୟଭୀତ ହୋଇପଡିଥିଲେ ପରବିନ୍ଦରଙ୍କ ପରିବାର ।

କବାଟ ଖୋଲିନଥିଲେ । ଫଳରେ କାହାକୁ ଭେଟି ନପାରି ଫେରି ଆସିଥିଲେ ବିଧାୟକ । ଏବଂ ଆଜି ସକାଳୁ ପୁଣି ବିଧାୟକ ଯାଇ ପରବିନ୍ଦରଙ୍କୁ ସାନ୍ତ୍ୱନା ଦେଇଥିଲେ ।ଏବଂ ତାଙ୍କ ପଛରେ ସେ ରହିଛନ୍ତି ବୋଲି ପ୍ରତିଶ୍ରୁତି ଦେବା ସହ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଧାୟକଙ୍କ ଏହି ରାତି ଅଧିଆ ଗସ୍ତକୁ ନେଇ ବିରୋଦୀ ବିଧାୟକଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ଦିନରେ କାର୍ଯ୍ୟ ବ୍ୟସ୍ତ ଥିବାରୁ ରାତିରେ ସେ ଯାଇଥିଲେ ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ଏନେଇ ଶିଖ ପ୍ରତିନିଧି ବୋର୍ଡର ସଦସ୍ୟ ସତପାଲ ସିଂ କହିଛନ୍ତି ପରବିନ୍ଦରଙ୍କୁ ବିଧାୟକ ଭେଟିବାକୁ ଯାଇଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ବୋଲି ସେ କହିଛନ୍ତି । ଏହା ସହିତ ଏହି ଆକ୍ରମଣ ଘଟଣାରେ ମଙ୍ଗୁମଠ ସହ କୌଣସି ସମ୍ପର୍କ ନାହିଁ ବୋଲି ମଧ୍ୟ ସତପାଲ ସ୍ପଷ୍ଟ କରିଛନ୍ତିି ।

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କୁ ୨୪ ଘଂଟା ମଧ୍ୟରେ ଜାମିନ ମିଳିବା ନେଇ ବଡ ପ୍ରଶ୍ନ ଉଠିଛି । ଅଭିଯୁକ୍ତଙ୍କୁ ୨୪ଘଂଟା ମଧ୍ୟରେ ଜାମିନ ମିଳିବା ପରେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ସିଂ । ଏଭଳି କି ଧାରା ଲାଗିଲା ଯେ ଅଭିଯୁକ୍ତ ଏତେ ଶୀଘ୍ର ବେଲ ପାଇଗଲେ ସେ ନେଇ ପ୍ରଶ୍ନ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଧାରା ଲଗେଇବା କଥା ତାହା ଲଗାଯାଇନାହିଁ ଓ ପୋଲିସ ଉପରେ ଚାପ ପଡିଛି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ପରବିନ୍ଦରଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି କମିଶନରେଟ୍ ପୋଲିସ୍ । ତାଙ୍କ ଘର ସମ୍ମୁଖରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ମଙ୍ଗଳବାର ଦିନ ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ । ଏମିତିକି ପଥରରେ ମୁହଁକୁ ଛେଚି ପକାଇ ଥିଲେ । ଆଉ ସବୁଠୁ ବଡ କଥା ହେଉଛି ଏସବୁ ଘଟିଥିଲା ପୋଲିସର ଉପସ୍ଥିତିରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଚାପ ପଡିବା ପରେ ଗତକାଲି ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାଙ୍କ ସହ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ୍ ।