ଯୁକ୍ତ ଦୁଇ ପରୀକ୍ଷାରେ ସ୍ୱଚ୍ଚତା ଆଣିବା ପାଇଁ କଡ଼ା ନିର୍ଦ୍ଦେଶ ! ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

199

କନକ ବ୍ୟୁରୋ : ଯୁକ୍ତ ୨ ଥିଓରି ପରୀକ୍ଷାକୁ ଆଉ ମାତ୍ର ଏକ ମାସ ବାକି । ହେଲେ ଏପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିନି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟ ପକ୍ଷରୁ ୫ଥର ତାଗିଦ୍ କରାଯିବା ପରେ ବି ପ୍ରାୟ ୩୫୦କଲେଜ କ୍ୟାମେରା ଲଗାଇ ନାହାନ୍ତି । କଲେଜଗୁଡ଼ିକରେ ଭିତ୍ତିଭୂମି ଅଭାବ ସାଙ୍ଗକୁ ଯେଉଁଠାରେ ଯୁକ୍ତ୨ ଓ ଯୁକ୍ତ ୩ କଲେଜ ମିଳିତ ଭାବେ ରହିଛି, ସେଠାରେ ସିସିଟିଭି ଲଗାଇବା ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି । ସିସିଟିଭିର ସୁରକ୍ଷା ନେଇ ମଧ୍ୟ କେତେକ କଲେଜ ଅଧ୍ୟକ୍ଷମାନେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସମୟରେ ପରିଷଦ କଡ଼ା ପଦକ୍ଷେପ ନେବାକୁ ଯାଉଛି । ଯେକୌଣସି ପ୍ରକାରେ ସିସିଟିଭି ଲଗାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଫେବ୍ରୁଆରି ୨୦ତାରିଖ ସୁଦ୍ଧା କ୍ୟାମ୍ପସରେ ସିସିଟିଭି ଲଗାଇ ରିପୋର୍ଟ ଦାଖଲ କର । ଯଦି ନିର୍ଦ୍ଧାରିତ ସମୟ ସୁଦ୍ଧା ସିସିଟିଭି ନଲଗାଇବ, କାର୍ଯ୍ୟାନୁଷ୍ଠାନ ହେବ । ପରୀକ୍ଷା କେନ୍ଦ୍ର ବାତିଲ୍ ହେବ । ସମ୍ପୃକ୍ତ କେନ୍ଦ୍ରର ପରୀକ୍ଷାର୍ଥୀଙ୍କୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ ବୋଲି ଆଜି କଡ଼ା ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଓ ଜୋନ୍ ସ୍ତରୀୟ ସ୍କ୍ବାଡ ଏଥର ଅଧ୍ୟାପକମାନେ ରହିବେ। ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗ ଅଧିକାରୀମାନେ କେନ୍ଦ୍ରୀୟ ସ୍କ୍ବାଡରେ ସାମିଲ ହେଉଥିଲେ ।

ଜୋନ୍ ସ୍ତରୀୟ ସ୍କ୍ବାଡରେ ପରିଷଦର ୩ଟି ଜୋନର ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧ୍ୟାପକମାନେ ରହୁଥିଲେ । ଏଥର ନିୟମରେ ପରିବର୍ତ୍ତନ କରାଯାଇଛି । ଉଭୟ କେନ୍ଦ୍ରୀୟ ଓ ଜୋନ୍ ସ୍ତରୀୟ ସ୍କ୍ବାଡରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି । ପରିଷଦ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣ-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ସ୍କ୍ବାଡରେ ସାମିଲ ହେବାକୁ ଥିବା ଦୁଇଜଣ ଅଧ୍ୟାପକଙ୍କ ତାଲିକା ଫେବ୍ରୁ୍ଆରି ୧୧ ସୁଦ୍ଧା ପଠାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଲେଖିଛନ୍ତି । ସେ ଆହୁରି କହିଛନ୍ତି ଯେ ପରୀକ୍ଷାର ସୁପରିଚାଳନା, କପି ରୋକିବା ପାଇଁ ଏଥର ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ ।