ସତ କହିଲା ସିସିଟିଭି ! ଶ୍ରୀମନ୍ଦିର ଭିତରର ଅଘଟଣ ନେଇ ଆଖି ଖୋଲିଲା କ୍ୟାମେରା ।

659

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ବିବାଦ । କେତେବେଳେ ସେବାୟତ ପୋଲିସ ଧସ୍ତାଧସ୍ତି ତ ପୁଣି କେତେବେଳେ ନାବାଳିକା ପ୍ରତି ଅସଦାଚରଣ ବ୍ୟବହାର । ମନ୍ଦିର ଭିତରେ ଘଟୁଥିବା ଏହି ଘଟଣାର ସତକୁ ସାମ୍ନାକୁ ଆଣିଛି ସିସିଟିଭି । ମନ୍ଦିର ଭିତରେ ଲାଗିଥିବା ସିସିଟିଭି ଯୋଗୁଁ ଅଭିଯୁକ୍ତ ଚିହ୍ନଟ ହୋଇ ପାରିଛନ୍ତି  ।

ସତ କହିଲା ସିସିଟିଭି । ସାମ୍ନାକୁ ଆସିଲା ମନ୍ଦିର ଭିତରର ଘଟଣା । ଶନିବାର ଶ୍ରୀମନ୍ଦିର ଭିତରକାଠ ପାଖରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା କଥା ପଦାକୁ ଆସିଥିଲା । ଏଥିରେ ସଂପୃକ୍ତ ଥିଲେ କାର୍ଯ୍ୟରତ କନେଷ୍ଟବଳ । ମନ୍ଦିର କବାଟ ବନ୍ଦ ଥିବା ବେଳେ ଭିଡର ସୁଯୋଗ ନେଇ ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ସିସିଟିଭି ଦୃଶ୍ୟରେ ଘଟଣାର ତଦନ୍ତ କରିଥିଲା । ନାବାଳିକାଙ୍କ ଅଭିଯୋଗ ଏବଂ ସିସିଟିଭିର ଦୃଶ୍ୟ ସମାନ କଥା ଦର୍ଶାଉ ଥିବା ବେଳେ ଏନେଇ ଅଭିଯୁକ୍ତ କନେଷ୍ଟବଳ ଛୁକେଶ ମେହେର ମଧ୍ୟ ଆଂଶିକ ସ୍ୱୀକାର କରିଥିଲା । ସିସିଟିଭି ଯୋଗୁଁ ହିଁ ଏହି ପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସି ପାରିଛି ।

ପୋଲିସ – ସେବାୟତ ବିବାଦ । ସତ ଦେଖାଇଛି ସିସିଟିଭି । ଯାତ୍ରୀଙ୍କୁ ମନ୍ଦିର ପ୍ରବେଶ ନେଇ ଦେଖା ଦେଇଥିବା ବିବାଦରେ ପୋଲିସ କର୍ମଚାରୀ ଓ ସେବାୟତଙ୍କ ଭିତରେ ହୋଇଥିଲା ଗଣ୍ଡଗୋଳ । ଏହି ଘଟଣାର ସିସିଟିଭି ଫୁଟେଜ୍ ହିଁ ବୟାନ କରୁଛି ପୁରା ଚିତ୍ର । କଥା କଟାକଟି ହେଉଥିବା ବେଳେ ଧକ୍କା ମାରିଥିଲେ ସେବାୟତ । ଏହା ପରେ କନେଷ୍ଟବଳ ମଧ୍ୟ ତାଙ୍କୁ ଧକ୍କା ମାରିଥିବା ସିସିଟିଭିରେ ଦେଖିବାକୁ ମିଳିଛି ।

ଏହି ବିବାଦକୁ ନେଇ ଶୁକ୍ରବାର ଦୀର୍ଘ ୧୩ ଘଂଟା ଧରି ଉପାସରେ ରହିଲେ ଶ୍ରୀଜିଉ । ଏନେଇ ଉଭୟଙ୍କ ବିରୋଧରେ ଚାଲିଛି ମାମଲା । ସେବାୟତ ଓ ପୋଲିସ ସମ୍ବେଦନଶୀଳ ହେବା ସହ ଶ୍ରଦ୍ଧାଳୁଙ୍କ ପ୍ରତି ସହଯୋଗୀ ହେବା ଜରୁରୀ । ଗତ ୨-୩ ଦିନ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଭିତରେ ଯାହା ଘଟଣା ଘଟିଛି ଏବଂ ବିବାଦ ସୃଷ୍ଟି ହୋଇଛି ତାହାର ସତ ସବୁ ସାମ୍ନାକୁ ଆଣିଛି ସିସିଟିଭି ।