ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କ ତତ୍ପରତା । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ୩ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

33

କନକ ବ୍ୟୁରୋ:ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କ ତତ୍ପରତା । ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ । ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ଚାବି ହଜିବା ନେଇ ବିବାଦ ଦେଖାଦେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଆଇନମନ୍ତ୍ରୀ । ଏହା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ସବୁ ସାମନାକୁ ଆସିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ଗତ ଦୁଇଦିନ ହେଲା ରତ୍ନଭଣ୍ଡାରର ଚାବି ହଜିବା ନେଇ ବିବାଦ ଲାଗିରହିଥିଲା । ପୁରୀ ଶଙ୍କରାଚାର୍ଯ୍ୟ ବି ଏ ବାବଦରେ ମୁହଁ ଖୋଲିଥିଲେ । ଏଭଳି ସ୍ଥିତିରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ନେଇ ଦୁଇଦିନହେଲା ଚାପ ବଢୁଥିଲା । ଗତ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନଭଣ୍ଡାର ଖୋଲାଯାଇନଥିବା କଥା ପରିଚାଳନା ବୈଠକ ବିବରଣୀରେ ସ୍ପଷ୍ଟ କରାଯାଇଛି । ଫଳରେ ଗ୍ରୀଲ ଦ୍ୱାର ବାଟେ ସର୍ଚ ଲାଇଟରେ ଭଣ୍ଡାର ଯାଂଚ ହୋଇଥିଲା । ଚାବି ନ ମିଳିବାରୁ ପରିଚାଳନା କମିଟିର ବିନା ଅନୁମତିରେ ଚାବି ଭାଙ୍ଗିବା ଠିକ୍ ନଥିଲା ବୋଲି ଭଣ୍ଡାର ଖୋଲିବା ସମୟରେ ସମସ୍ତ ସଭ୍ୟ ମତ ରଖି ଫେରିଆସିଥିବା ମନ୍ଦିର ପ୍ରଶାସକ ବୈଠକରେ କହିଥିଲେ ।

ପିସିସ ସଭାପତି ନିରଂଜନ ପଟ୍ଟନାୟକ ବିଚାରବିଭାଗୀୟ ତଦନ୍ତକୁ ସମାଲୋଚନା କରିଛନ୍ତି । ଲୋକଙ୍କ ନଜର ହଟାଇବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୨ ମାସ ତଳେ ଜାଣିଥିହେଲ ବି କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ରତ୍ନଭଣ୍ଡାର ଚାବି ଯାହା ନାଁରେ ଥିଲା ତାହା ନାଁରେ ମାମଲା ରୁଜୁ କରାଯାଉବୋଲି ବିଜେପି କହିଛି । ଯଦି ଚାବି ଯଦି ନଥିଲା ଏପ୍ରିଲ ୪ ତାରିଖ ଦିନ ରତ୍ନଭଣ୍ଡାରକୁ କାହିଁକି ଗଲେ । ଏପ୍ରିଲ ୪ ରୁ ଚାବି ହଜିବା ଜଣାପଡିଲାଣି,୨ ମାସ ଧରି କାହିଁକି ଚୁପ ବସିଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଲୋକ ଦେଖାଣିଆ ଭାବେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିବା ପରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏପରିକି ଏହି ସମ୍ବେଦନଶୀଳ ପୁରୀ ଶଙ୍କରାଚାର୍ୟ୍ୟ ଚାବି ହଜିଯିବା ଘଟଣାର ଯାଂଚ ପାଇଁ କମିସନ ଗଠନ କରିବାକୁ ଦାବି କରିଥିଲେ । ଏଥିସହ କିଛି ଦିନ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଯେପରି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଠିକ୍ ସେହିପରି ଚାବି ହଜିବା ଘଟଣାର ତଦନ୍ତ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ । ଏବେଠାରୁ ସତର୍କ ନହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିପାରେ ବୋଲି ଶଙ୍କରାଚାର୍ୟ୍ୟ ନିଶ୍ଚଳନାନ୍ଦ ସରସ୍ୱତୀ କହିଥିଲେ ।

ଅନ୍ୟପଟେ ସିଂହଦ୍ୱାର ଆଗରେ ଗତକାଲି ଏନେଇ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରତ୍ନଭଣ୍ଡାରର ଚାବି କୁଆଡେ ଗଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଥିଲେ ବିକ୍ଷୋଭକାରୀ । ଟ୍ରେଜେରୀରୁ ଚାବି ହଜିନି ବରଂ ଚାବିକୁ ଜାଣିଶୁଣି ଗାଏବ କରାଯାଇଛି । ରତ୍ନଭଣ୍ଡାରକୁ ହରିଲୁଟ୍ କରାଯିବା ପରେ ଚାବିକୁ ଲୁଚାଯାଇଥିବା ଅଭିଯୋଗ ଆଣିଥିଲେ ସଚେତନ ନାଗରିକ ମଂଚ । ତେଣୁ ଜିଲ୍ଲାପାଳ, ଭଣ୍ଡାର ମେକାପ ଓ ଆଇନ୍ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ରତ୍ନଭଣ୍ଡାର ଚାବିର ଖୋଳତାଡ କରାଯାଉ । ବୋଲି ଦାବି କରିଥିଲେ ସେବାୟତ ।