ସିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ କ୍ରାଇମବ୍ରାଂଚ୍ ଟିମର ୪ ଘଂଟା ପଚରାଉଚରା ! ଦିଲ୍ଲୀ ଅଫିସ ଓ କେନ୍ଦ୍ରମନ୍ତ୍ରୀଙ୍କ ଘର ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

26

କନକ ବ୍ୟୁରୋ: ସିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ଦିଲ୍ଲୀ ପୋଲିସର ତନାଘନା । ପରୀକ୍ଷା ନିୟନ୍ତ୍ରକଙ୍କୁ ୪ ଘଂଟା ଜେରା । ପ୍ରଶ୍ନପତ୍ର ଲିକ୍ ବିବାଦ ଜୋର ଧରିଥିବା ବେଳେ ଆଜି ସିବିଏସଇ ପରୀକ୍ଷା ନିୟନ୍ତ୍ରକଙ୍କୁ ପଚରା ଉଚରା କରାଯାଇଛି । ଦିଲ୍ଲୀ ପୋଲିସର ୪ ଜଣିଆ କ୍ରାଇମବ୍ରାଂଚ୍ ଟିମ୍ ପରୀକ୍ଷା ନିୟନ୍ତ୍ରକଙ୍କୁ ୪ ଘଂଟା ଧରି ପଚରା ଉଚରା କରିଛି । ସେପଟେ ସିବିଏସଇ କାର୍ଯ୍ୟାଳୟ ଓ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି । ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ସିବିଏସଇ ବିରୋଧରେ ସ୍ଲୋଗାନ୍ ଦେବା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧରଣାରେ ବସିଥିବା ଦେଖିବାକୁ ମିଳିଛି । ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ସିବିଏସଇ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ହୋଇଛି ପୋଲିସ । ସେପଟେ ଆଜି ସିବିଏସଇର ନୂଆ ପରୀକ୍ଷା ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ତେବେ ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ପୁଣି ଥରେ ପରୀକ୍ଷା ଦେବାକୁ ପଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ସେପଟେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପ୍ରଶ୍ନପତ୍ର ଲିକ୍ ବିଭ୍ରାଟ ଯୋଗୁ ସିବିଏସଇ ଅଧ୍ୟକ୍ଷ ଓ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ କହିଛନ୍ତି ଏହି ଘଟଣା ପଛରେ କିଏ ଦୋଷୀ ତାହା ତଦନ୍ତ ହେବା ଉଚିତ । ତେବେ ବିଜେପି କହିଛି ଭବିଷ୍ୟତରେ ଯେମିତି ଏପରି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।