ସିବିଏସଇ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗ : ଅନୁଧ୍ୟାନ ପାଇଁ ୨ ଅଧିକାରୀ ନିଯୁକ୍ତ କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

33

କନକ ବ୍ୟୁରୋ : ସିବିଏସଇ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗରେ ହସ୍ତକ୍ଷେପ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ । ସମସ୍ୟାର ଅନୁଧ୍ୟାନ ପାଇଁ ଦୁଇଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିବା ଟ୍ୱିଟ୍ କରିଛନ୍ତି ଜାଭଡେକର୍ । ଏହାପୂର୍ବରୁ ଆଜି ଭୁବନେଶ୍ୱର ଜୋନର ସିବିଏସଇ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ସଂପର୍କରେ ଅବଗତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେପଟେ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୱିଥହେଲ୍ଡ ରହିବା ସେମାନଙ୍କୁ ମାନସିକ ଆଘାତ ଦେଇଛି । ଏଥିସହ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ମାର୍କ କମ୍ ରହିିବା ମଧ୍ୟ ସିବିଏସଇର ଅବ୍ୟବସ୍ଥା ସାମ୍ନାକୁ ଆଣିଛି । ମାର୍କ ମଡରେସନ୍ ପଲିସିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପାତର ଅନ୍ତରର ଶିକାର ହୋଇଛନ୍ତି ଭୁବନେଶ୍ୱର ଜୋନର ଛାତ୍ରଛାତ୍ରୀ । ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।