ପ୍ରଶ୍ନପତ୍ର ଲିକ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ, ପୁଣି ଥରେ ପରୀକ୍ଷା ପାଇଁ ସିବିଏସଇ ବୋର୍ଡ ଜାରି କଲା ନୋଟିସ ! ଜାଣନ୍ତୁ କେଉଁ ବିଷୟରେ ପୁଣି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

41

କନକ ବ୍ୟୁରୋ : ପୁଣି ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ । ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ, ନୋଟିସ ଜାରି କରି କହିଛି, ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପୁଣିଥରେ କରାଯିବ । ୭ ଦିନ ଭିତରେ ତାରିଖ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଏହି ପରୀକ୍ଷା ଦିଲ୍ଲୀ ଜୋନରେ ହେବ ନା ଓଡିଶା ସମେତ ସାରା ଦେଶରେ ହେବ ତାକୁ ନେଇ ସିବିଏସଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ପ୍ରଶ୍ନପତ୍ର ଲିକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ପ୍ରକାଶ କରିବା ପରେ ପୁଣି ଥରେ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ନୋଟିସ ଦିଆଯାଇଛି ।

ଯଦି ପରୀକ୍ଷା ଦେବା ପରେ ସିବିଏସଇ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ହୋଇ ଯାଇଛନ୍ତି ତେବେ ଏହି ଆଶ୍ୱସ୍ତି ଅଧିକ ସମୟ ପାଇଁ ନୁହଁ । କାରଣ ଆପଣଙ୍କୁ ପୁଣିଥରେ ଦୁଇଟି ବିଷୟରେ ପରୀକ୍ଷା ଦେବାକୁ ହେବ । ସିବିଏସଇ ପୁଣିଥରେ କରିବ ଗଣିତ ପରୀକ୍ଷା ! ଅର୍ଥନୀତି ପାଇଁ ପୁଣି ପରୀକ୍ଷା ଦେବେ ଦ୍ୱାଦଶ ଛାତ୍ରଛାତ୍ରୀ ! କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଏଭଳି ଏକ ନୋଟିସ ଜାରି କରି ପୁଣି ଥରେ ପରୀକ୍ଷା କରିବାକୁ ଦେଇଛି ନିର୍ଦ୍ଦେଶ । ଦଶମ ଗଣିତ ପରୀକ୍ଷା ସହ ଦ୍ୱାଦଶ ଅର୍ଥନୀତି ପରୀକ୍ଷା ମଧ୍ୟ ପୁଣିଥରେ ହେବ । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସଇ । ସପ୍ତାହକ ମଧ୍ୟରେ ପରୀକ୍ଷା ତାରିଖ ସମ୍ପର୍କରେ ସୂଚନା ଦିଆଯିବ ବୋଲି ସିବିଏସଇ ନୋଟିସରେ ଉଲ୍ଲେଖ କରିଛି । ଦେଶର ବିଭିନ୍ନ ଭାଗରୁ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ସିବିଏସଇ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ତେବେ ଏହି ପରୀକ୍ଷା କେବଳ ଦିଲ୍ଲୀ ଜୋନରେ ହେବ ନା ଓଡ଼ିଶା ସମେତ ସାରା ଦେଶରେ ହେବ ତାହା ସ୍ପଷ୍ଟ କରିନାହିଁ ସିବିଏସଇ । ତେଣୁ ଏହାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ପରୀକ୍ଷାର ଠିକ ପୂର୍ବ ରାତି ବିଭିନ୍ନ ଜୋନରେ ଗଣିତ ପ୍ରଶ୍ନପତ୍ର ଲିକ୍ ନେଇ ଖବର ସାମ୍ନାକୁ ଆସିଥିଲା । ଅନୁରୂପ ଅଭିଯୋଗ ଦ୍ୱାଦଶ ଅର୍ଥନୀତି ପ୍ରଶ୍ନପତ୍ର ମଧ୍ୟ କରାଯାଇଥିଲା । ଏପରିକି କିଛି ଅଭିଭାବକ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଯିବା ଯୋଜନା କରୁଥିବା ବି ଜଣାପଡ଼ିଥିଲା । ଅନ୍ୟପଟେ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପରିଚାଳନା ନେଇ ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ସିବିଏସଇ ଦ୍ୱିତୀୟ ଥର ପରୀକ୍ଷା କରାଇବାକୁ ନିଷ୍ପତି ନେଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ନୂଆ ପରୀକ୍ଷା ତାରିଖ ସମ୍ପର୍କରେ ସିବିଏସଇ ଖୁବଶିଘ୍ର ସୂଚନା ଦେବ ବୋଲି ଜଣାପଡ଼ିଛି ।