ସିବିଏସଇ ପେପର ଲିକ୍ ଘଟଣା : ଦିଲ୍ଲୀରୁ ଜଣେ କୋଚିଂଗ ସେଂଟର ମାଲିକଙ୍କ ସହ ୨ ଶିକ୍ଷକ ଗିରଫ, ପ୍ରଶ୍ନପତ୍ରର ଫଟୋ ଉଠାଇ କୋଚିଙ୍ଗ ସେଂଟର ମାଲିକଙ୍କୁ ପଠାଇଥିଲେ ୨ ଶିକ୍ଷକ

35

କନକ ବ୍ୟୁରୋ : ସିବିଏସଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଚଢ଼ଉ ଅଭିଯାନ ଜାରି ରଖିଛି ଏବଂ ଆଜି ଏହି ମାମଲାରେ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ଓ ଝାଡ଼ଖଣ୍ଡରେ ଆଜି ୯ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଝାଡ଼ଖଣ୍ଡ ପୁଲିସ ଗୋଟିଏ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ଏବଂ ଦୁଇ ଜଣ ଶିକ୍ଷକଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଏହା ପ୍ରଥମ ଗିରଫଦାରୀ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଅଭିଭାବକ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସର ଏସଆଇଟି ସନ୍ଦିଗ୍ଧ ହ୍ଵାଟ୍ସଆପ ଗ୍ରୁପର ୬୦ ଜଣଙ୍କୁ ପଚରାଉଚରା କରିଛି। ସିବିଏସଇ ଅଧିକାରୀଙ୍କ ବୟାନ ଆଧାରରେ ସୁରକ୍ଷା ପ୍ରକ୍ରିୟାକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ସିବିଏସଇର ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ଏବଂ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଏହା କେବଳ ଏକ ମିଥ୍ୟା ପ୍ରଚାର ବୋଲି ସିବିଏସଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ହିନ୍ଦୀ ପ୍ରଶ୍ନପତ୍ର ବିଭିନ୍ନ ଅଂଚଳରେ ପ୍ରଘଟ ହୋଇଥିବା ଖବର ପ୍ରଚାର ହେବାପରେ ଶତାଧିକ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ସ୍ଥିତ ସିବିଏସଇ ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପ୍ରିଲ ୨ ତାରିଖରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପରୀକ୍ଷା ଥିବାବେଳେ ଏହାପୂର୍ବରୁ ଏକ ପ୍ରଶ୍ନପତ୍ର ହ୍ଵାଟ୍ସଆପରେ ଘୂରି ବୁଲୁଛି। ତେବେ ଏହା ନକଲି ପ୍ରଶ୍ନପତ୍ର ବୋଲି ସିବିଏସଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସିବିଏସଇ ବୋର୍ଡ ମୁଖ୍ୟ ଅନିତା କରଓ୍ଵାଲ କହିଛନ୍ତି ଯେ ହ୍ଵାଟ୍ସଆପ ଏବଂ ୟୁଟ୍ୟୁବରେ ଯେଉଁ ହିନ୍ଦୀ ପ୍ରଶ୍ନପତ୍ର ଲିକ କଥା କୁହାଯାଉଛି ତାହା ଏକ ଅପପ୍ରଚାର। ଏହା କୌଣସି ପୂର୍ବ ବର୍ଷର ପ୍ରଶ୍ନପତ୍ର ହୋଇଥାଇପାରେ ବୋଲି ସେ କହିଛନ୍ତି। ହିନ୍ଦୀ ପ୍ରଶ୍ନପତ୍ର ପ୍ରଘଟ ବିବାଦକୁ ନେଇ ଆଜି ଛାତ୍ର ଅସେନ୍ତାଷ ପୁଣି ତେଜିବାରୁ କର୍ତ୍ତୃପକ୍ଷଙ୍କ ଅଡ଼ୁଆ ବଢ଼ିଛି। ଏପ୍ରିଲ ୨୫ ତାରିଖରେ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା ହେବବୋଲି ଘୋଷଣା ହୋଇଥିବା ବେଳେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

cbse