ସିବିଏସଇର ୟୁଟର୍ଣ୍ଣ ! ଏବେ ସ୍କୁଲ୍ ପରିସରରେ ବିକ୍ରି ହୋଇପାରିବ ବହି ଏବଂ ପାଠ୍ୟ ଉପକରଣ

53

କନକ ବ୍ୟୁରୋ : ୟୁଟର୍ଣ୍ଣ ନେଇଛି ସିବିଏସଇ । ପରିସରରେ ବହି ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିବାକୁ ନିଜ ଅନୁବନ୍ଧିତ ସ୍କୁଲ୍ ଗୁଡିକ ସବୁଜ ସଂକେତ ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ । ଏବେ ସ୍କୁଲ୍ ପରିସରରେ ମିଳିବ ବହିଠାରୁ ଆରମ୍ଭ କରି ପିଲାମାନଙ୍କର ଆବଶ୍ୟକୀୟ ପାଠ୍ୟ ଉପକରଣ । ଏନେଇ କ୍ୟାମ୍ପସରେ ଖୋଲାଯିବ ସ୍ଥାୟୀ ଦୋକାନ । ଯେଉଁଥିରେ ଏନସିଇଆରଟି ବହି ମଧ୍ୟ ଉପଲବ୍ଧ ରହିବ । ଅର୍ଥାତ୍ ପାଠପଢା ସମ୍ବନ୍ଧିତ ସମସ୍ତ ସାମଗ୍ରୀ ପିଲାଙ୍କ ହାତ ପାହାନ୍ତାରେ ଗୋଟିଏ ସ୍ଥାନରେ ମିଳିପାରିବ ।

ତେବେ କିଛି ଦିନ ମାସ ତଳେ ଏହାର ଠିକ୍ ଓଲଟା ନିୟମ ଆଣିଥିଲା ସିବିଏସଇ । ସ୍କୁଲକୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଭାବରେ ବ୍ୟବହାର ନକରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ସିବିଏସଇ । ଅର୍ଥାତ୍ ସ୍କୁଲ୍ ପରିସରରେ ବିକ୍ରି ହୋଇପାରିବ ନାହିଁ ବହି ଏବଂ ୟୁନିଫର୍ମ । ଦିଲ୍ଲୀ ହାଇକୋର୍ଟ ସିବିଏସଇକୁ ଏହି ନିର୍ଦେଶ ଦେବା ପରେ ଏଭଳି ଏକ ସର୍କୁଲାର୍ ଜାରି ହୋଇଥିଲା ।

ଗତ ଏପ୍ରିଲ୍ ୧୯ ତାରିଖରେ ଆଇନର ଉଲଂଘନ ହେଉଥିବା ଦର୍ଶାଇ ସ୍କୁଲରେ ବହି , ୟୁନିଫର୍ମ ଏବଂ ପାଠ୍ୟ ଉପକରଣ ବିକ୍ରି ଉପରେ କଟକଣା ଜାରି ହୋଇଥିଲା । ତେବେ ଏହି ନିଷ୍ପତି ଅଭିଭାବକ ମହଲରେ ଆଶ୍ୱସ୍ତି ଆଣିଦେଇଥିଲା । କାରଣ ସ୍କୁଲ୍ ପରିସରକୁ ଏକ ବ୍ୟବସାୟିକ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ କିଛି ଅଭିଭାବକ ।

କିନ୍ତୁ ୪ ମାସ ପରେ ୟୁଟର୍ଣ୍ଣ ନେଇଛି ସିବିଏସଇ । ଏବେ ସ୍କୁଲ୍ ପରିସରରେ ବହିଠାରୁ ଆରମ୍ଭ କରି ପିଲାମାନଙ୍କର ଆବଶ୍ୟକୀୟ ପାଠ୍ୟ ଉପକରଣ ମିଳିପାରିବ । ସିବିଏସଇର ବର୍ତ୍ତମାନର ନିଷ୍ପତିକୁ ମଧ୍ୟ ଅନେକ ବିଦ୍ୟାଳୟରେ ଖୁସିର ସହ ଗ୍ରହଣ କରିଛନ୍ତି ।