ମମତା- ସିବିଆଇ ଲଢେଇରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସେପଟେ ମମତାଙ୍କୁ ରାଜନାଥଙ୍କ ଚେତାବନୀ

ମମତା- ସିବିଆଇ ଲଢେଇରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

195

କନକ ବ୍ୟୁରୋ : କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ଘରେ ପଶିବା ଲାଗି ସିବିଆଇର ଊଦ୍ୟମ ଏବଂ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାକୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଥମିବାର ନାମ ଧରୁନାହିଁ। ଏହି ପ୍ରସଙ୍ଗରେ ଗତକାଲି ଦିନତମାମ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ମାମଲା ସୁପ୍ରିମ କୋର୍ଟରେ ପହଂଚିଛି। ଆଜି ସର୍ବୋଚ୍ଚ ଅଦାଲତ ଏହି ମାମଲା ଉପରେ ଶୁଣାଣି କରିବେ। ଅନ୍ୟପଟେ ମମତାଙ୍କ ଆଚରଣ ନେଇ କେନ୍ଦ୍ର ସରକାର କ୍ଷୋଭ ପ୍ରକାଶ କରିବା ସହିତ କହିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ିଲାଣି। କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଗତକାଲି ରିପୋର୍ଟ ପଠାଇଛନ୍ତି। ଏସବୁ ସତ୍ତ୍ବେ ମମତା ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ସେ ଅନିର୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଜାରି ରଖିବେ ବୋଲି ଚେତାବନୀ ଶୁଣାଇଛନ୍ତି।

ଇତିମଧ୍ୟରେ ସିବିଆଇ ସୁପ୍ରିମ୍ କୋର୍ଟର ଦ୍ବାରସ୍ଥ ହୋଇଛି। ଏହାର ତୁରନ୍ତ ଶୁଣାଣି ପାଇଁ ସିବିଆଇ ଅନୁରୋଧ କରିଥିବାବେଳେ ଏହି ମାମଲାରେ ସିବିଆଇ ଆବଶ୍ୟକ ପ୍ରମାଣ ଦାଖଲ କରିପାରି ନାହିଁ। ତେଣୁ ପ୍ରମାଣ ସହିତ ସତ୍ୟପାଠ ଦାଖଲ କରିବା ଲାଗି ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନଙ୍କ ଖଣ୍ଡପୀଠ କହିଛନ୍ତି। ଶୁଣାଣି ପାଇଁ ହାତରେ କମ୍ ସମୟ ରହିଥିବାରୁ ପ୍ରମାଣ ଜରୁରୀ। ତେଣୁ ଆଜି ଏହି ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି କହିଥିଲେ ଯେ ଯଦି ପୁଲିସ କମିସନରଙ୍କ ବିରୋଧରେ ଗୋଟିଏ ବି ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯିବ ତା’ହେଲେ କମିସନରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି କହିଥିଲେ ଯେ ସିବିଆଇର ପ୍ରତ୍ୟେକ ପ୍ରଶ୍ନର ଜବାବ କମିସନର ଲିଖିତ ଭାବେ ଦେଇଛନ୍ତି ଏବଂ ତାଙ୍କ ବିରୋଧରେ କୌଣସି ଏଫ୍ଆଇଆର୍ ନାହିଁ।

କଲିକତା ହାଇକୋର୍ଟରେ ମଧ୍ୟ ରାଜ୍ୟ ସରକାର ପିଟିସନ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ରୋକ୍ ସତ୍ତ୍ବେ ସିବିଆଇ ବିନା ୱାରେଣ୍ଟରେ ପୁଲିସ କମିସନରଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା ବୋଲି ସରକାର କହିଛନ୍ତି। କେବଳ ସୁପ୍ରିମ କୋର୍ଟ ନୁହେଁ ସଂସଦରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସଂସଦର ଉଭୟ ଗୃହରେ ବିରୋଧୀ ଦଳ ସିବିଆଇର ଆଚରଣ ଓ କେନ୍ଦ୍ର ବିରୋଧରେ ନାରାବାଜି ସହିତ ହଟ୍ଟଗୋଳ କରିଥିଲେ। ଫଳରେ ସଂସଦ ଅଚଳ ହୋଇଯାଇଥିଲା। ଗୃହକୁ ଆଜି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି। ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଏ ରିପୋର୍ଟ ଦେଇସାରିଥିବା ମଧ୍ୟ ସୂଚନା ରହିଛି । ତେବେ ରିପୋର୍ଟରେ କ’ଣ ରହିଛି ତାହା ଜଣାପଡ଼ି ନାହିଁ।

ତେଣେ ଧାରଣାରେ ବସିଥିବା ମମତା ବାନାର୍ଜୀ କହିଛନ୍ତି ଯେ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଏହି ଧାରଣା ଦେଉଛନ୍ତି ଏବଂ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଚାପରେ ନଇଁବାର ପ୍ରଶ୍ନ ଉଠୁନାହିଁ। ତାଙ୍କର ଏହି ଧାରଣା ଅନିର୍ଦିଷ୍ଟ କାଳ ପାଇଁ ଚାଲିବ। ଇତିମଧ୍ୟରେ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ଡିଏମକେ ନେତ୍ରୀ କାନିମୋଝି ଆଜି ଧାରଣାସ୍ଥଳକୁ ଯାଇ ମମତାଙ୍କୁ ସମର୍ଥନ ଜଣାଇଛନ୍ତି।