ସିବିଆଇ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି । ୨ ସପ୍ତାହ ଭିତରେ ମାମଲାର ଯାଂଚ ପାଇଁ ସିଭିସିକୁ ଦେଲେ ନିର୍ଦ୍ଦେଶ । ନଭେମ୍ବର ୧୨ରେ ପରବର୍ତ୍ତି ଶୁଣାଣି

35

କନକ ବ୍ୟୁରୋ: ସିବିଆଇ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ଆସିଲା ନିଷ୍ପତି । ୨ ସପ୍ତାହ ଭିତରେ ମାମଲାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ । ବହୁଚର୍ଚ୍ଚିତ ସିବିଆଇ ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିବା ବେଳେ ଏହାର ଯାଂଚ ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଉ ୨ ସପ୍ତାହ ମଧ୍ୟରେ ଯାଂଚ ଶେଷ କରିବାକୁ ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଏହାଛଡ଼ା ମଧ୍ୟବର୍ତ୍ତୀକାଳୀନ ସିବିଆଇ ନିର୍ଦେଶକ ନାଗେଶ୍ୱର ରାଓ କୌଣସି ନୀତି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ ବୋଲି ସିବିଆଇର ପୂର୍ବତନ ନିର୍ଦେଶକ ଆଲୋକ କୁମାର ବର୍ମାଙ୍କର ପିଟିସନ୍ ଉପରେ ଶୁକ୍ରବାର ଦିନ ରାୟ ଶୁଣାଇ କହିଛନ୍ତି ସୁପ୍ରିମ୍ କୋର୍ଟ। ଅବସରପ୍ରାପ୍ତ ସୁପ୍ରିମ୍ କୋର୍ଟ ବିଚାରପତି ଏ କେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଦୁଇ ସପ୍ତାହ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ସରିବା ପରେ ଦୀପାବଳି ଛୁଟି ପରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଏହି ମାମଲାର ରାୟ ଶୁଣାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

କେମିତି ଆରମ୍ଭ ହେଲା ବିବାଦ ?

ସିବିଆଇରେ ଆଲୋକ ବର୍ମା ନିର୍ଦ୍ଦେଶକ ଥିବା ବେଳେ ନମ୍ବର ଟୁ ଥିଲେ ରାକେଶ ଆସ୍ଥାନା । ତାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ତିଆରି କରି ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । କିଛି ଦିନ ତଳେ ସିବିଆଇର ଏହି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଜଣେ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀଙ୍କ ବିରୋଧରେ ଚାଲିଥିବା ତଦନ୍ତ ମାମଲାରେ ଏଫଆଇଆର ରୁଜୁ ହୋଇଥିଲା । ଅଭିଯୋଗ ଆସିଥିଲା, ମାମଲାକୁୁ ରଫାଦାଫ କରିବା ଲାଗି ଆସ୍ଥାନା ଲାଂଚ ନେଇଥିଲେ । ମାଂସ ବ୍ୟବସାୟୀ ମୋଇନ କ୍ୟୁରେସି ମାମଲାରେ ଛନ୍ଦି ହୋଇଥିବା ସତୀଶ ସାନା ନାମକ ଜଣେ ବ୍ୟକ୍ତି ମାମଲାରୁ ନିଜ ନାଁକୁ ରଫାଦଫା କରିବା ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାକୁ ୩ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ଆସିଲା ମଙ୍ଗଳବାର ଦିନ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେସ ଆସ୍ଥାନା ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ । କେନ୍ଦ୍ର ସରକାର ସିଭିସିର ସୁପାରିଶ ପରେ ଦୁଇ ଅଧିକାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା କ୍ୟାଡରର ଅଫିସର ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।