ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ ! ଚିଟଫଣ୍ଡ୍ ତଦନ୍ତରେ ବାଧା ଦେଉଥିବା ଅଭିଯୋଗ

136

କନକ ବ୍ୟୁରୋ : କୋଲକାତା ମେଟ୍ରୋ ସିନେମା ହଲ୍ ଆଗରେ ଟିଏମସି ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ମମତା ବାନାର୍ଜୀ । ଗତ ରାତି ପ୍ରାୟ ୮ଟାବେଳୁ ଧାରଣାରେ ବସିଛନ୍ତି ମମତା । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣା ଦେଇଛନ୍ତି । ମମତା କହିଛନ୍ତି ଦେଶ ଓ ତାହାର ସମ୍ବିଧାନ ରକ୍ଷା ପାଇବା ଯାଏଁ ସେ ତାଙ୍କର ‘ସତ୍ୟାଗ୍ରହ’ ଚାଲୁ ରଖିବେ।

ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ଏସମ୍ପର୍କରେ ପିଟିସନ ଦାୟର କରିବେ । ଅନ୍ୟପଟେ କୋଲାକତା ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ଯ୍ୟାଳୟକୁ ଚାରିପାଖରୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାର୍ଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍ । ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ସେଠାରୁ ପୁଲିସ ହଟିଯାଇଥିବା

ସୂଚନାଯୋଗ୍ୟ କୋଲକାତା ପୋଲିସ କମିସନର ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା । ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ରାଜୀବ କୁମାର । ତେବେ ତାଙ୍କ ସମୟରେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ହୋଇଥିଲା । ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଠକେଇର ତଦନ୍ତ କରୁଥିଲେ ରାଜୀବ । ତଦନ୍ତରେ ରାଜୀବ କୁମାର ଅନିୟମିତତା କରିଥିବା ସଂଦେହ କରୁଛି ସିବିଆଇ । ତାଙ୍କ ଠାରୁ ତଦନ୍ତ ସଂପର୍କିତ କାଗଜପତ୍ର ଚାହୁଁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଏସଆଇଟି ଅଧ୍ୟକ୍ଷ ଭାବେ ଜାମ୍ମୁ କଶ୍ମୀରରୁ ଶାରଦା ଚିଟଫଣ୍ଡ ମୁଖ୍ୟ ସୁଦୀପ୍ତ ସେନ୍ ଓ ତାଙ୍କ ସହଯୋଗୀ ଦେବଯାନୀଙ୍କୁ ଗିରଫ କରିଥିଲେ ରାଜୀବ କୁମାର । ଗିରଫ କରିବା ସମୟରେ ସେମାନଙ୍କ ଠାରୁ ଯେଉଁ ଡାଏରୀ ଜବତ ହୋଇଥିଲା, ତାକୁ ରାଜୀବ କୁମାର ଗାଏବ କରି ଦେଇଥିବା ସଂଦେହ କରୁଛି ସିବିଆଇ । ଚିଟଫଣ୍ଡ ମାମଲାରେ କୋଲକାତା ପୋଲିସ କମିଶନରଙ୍କ ସଂପୃକ୍ତି ନେଇ ପୂର୍ବରୁ ଚର୍ଚା ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ ସମର୍ଥନ କରିବା ସହ କହିଛନ୍ତି ସେ ହେଉଛନ୍ତି ବିଶ୍ୱର ସବୁଠୁ ଭଲ ପୋଲିସ ଅଧିକାରୀ । ତାଙ୍କର ନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି ମମତା କହିଥିଲେ ।