କୋଲକାତାର କଳି ସଂସଦରେ ଗର୍ଜନ ! ରାଜ୍ୟ ରାଜନୀତିରେ କେଉଁ ନେତା କହିଲେ କ’ଣ ?

ଗତକାଲି କୋଲକାତା ପୁଲିସ କମିଶନରଙ୍କ ଘରେ ସିବିଆଇ ପସିବା ଘଟଣା ପରେ ଉଠିଥିବା ଝଡ଼କୁ ନେଇ ରାଜ୍ୟ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି ।

188

କନକ ବ୍ୟୁରୋ: ବଢ଼ିଲା ସିବିଆଇ ବନାମ ପୋଲିସ ବିବାଦ । ଏନେଇ ପଶ୍ଚିମବଙ୍ଗରୁ ଦିଲ୍ଲୀ ଓ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଛି । ଗତକାଲି କୋଲକାତା ପୁଲିସ କମିଶନରଙ୍କ ଘରେ ସିବିଆଇ ପସିବା ଘଟଣା ପରେ ଉଠିଥିବା ଝଡ଼କୁ ନେଇ ରାଜ୍ୟ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ସର୍ବୋଚ୍ଚ ସଂସ୍ଥାଗୁଡିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତିଗତ ସ୍ୱାଧୀନତା ରହିବା ଦରକାର । ବିଜେଡି କହିଛି, ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତମାନ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ହଠାତ କାର୍ଯ୍ୟାନୁଷ୍ଠାନ ଅଣପେଶାଦାର ମନୋଭାବକୁ ଦର୍ଶାଉଛି ।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସିବିଆଇକୁ ହାତ ବାରିସି କରି ରାଜନୈତିକ ଆକ୍ରୋଶ ରଖିବା ଉଚିତ୍ ନୁହେଁ । ଯଦି ପଶ୍ଚିମବଙ୍ଗରେ ମମତାଙ୍କ ବିରୋଧରେ ଆକ୍ରୋଶମୂଳକଭାବେ ସିବିଆଇକୁ ବ୍ୟବହାର କରାଯାଉଥାଏ ତେବେ ଏହା ନିନ୍ଦନୀୟ ଘଟଣା । ଓଡ଼ିଶାରେ ମଧ୍ୟ ସିବିଆକୁ ଖଣ୍ଡା ଭଳି ବ୍ୟବହାର କରାଯାଉଛି । ଯେଉଁଥିରେ ନବୀନ ବାବୁଙ୍କୁ ଡ଼ରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି । ସେହିଭଳି କଂଗ୍ରେସ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, କେନ୍ଦ୍ରସରକାର ସିବିଆଇକୁ ରାଜନୈତିକ ଉଦେଶ୍ୟ ରଖି ବ୍ୟବହାର କରୁଛନ୍ତି । କାହାକୁ ଡ଼ରାଇବା ପାଇଁ ତ କାହାକୁ ଗିରଫ କରିବା ପାଇଁ ସିବିଆଇ ଜରିଆରେ ଧମକ ଦେଉଛନ୍ତି ମୋଦି ସରକାର । ଯାହ ଦର୍ଶାଉଛି ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ସେହିଭଳି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ସିବିଆଇ ତା’ର କାର୍ଯ୍ୟ ନିରପକ୍ଷ ଭାବେ କରୁନାହିଁ । ସିବିଆଇ ସଂସ୍ଥା ଆଦୌ ନିରପକ୍ଷ ନୁହନ୍ତି ନଚେତ୍ ୪ ବର୍ଷ ହୋଇଗଲା ଚିଟଫଣ୍ଡ ମାମଲାର ଚେର ପାଖରେ ପହଁଚିପାରୁ ନାହାନ୍ତି । ଏବଂ ସିବିଆଇ ବିରୋଧରେ ମମତା ଯେଉଁ ପ୍ରତିବାଦ କରୁଛନ୍ତି ତାହା ଅଭନନ୍ଦନୀୟ ବୋଲି କହିଛନ୍ତି ବିଜୟ ।

ଶେଷରେ ବିଜେପି ଏହାର ଉତ୍ତରରେ କହିଛି, ଓଡ଼ିଶାରେ ମଧ୍ୟ ଚିଟଫଣ୍ଡ ଚୋରଙ୍କ ଆଡ୍ଡା ରହିଛି । ପାଖାପାଖି ୨୦ ହଜାର କୋଟି ଟଙ୍କା ରାଜ୍ୟବାସୀଙ୍କର ଚଳୁ କରିଛନ୍ତି । ନବୀନ ସରକାରଙ୍କ ବିଭିନ୍ନ ନେତା ଏହି ଘୋଟାଲାରେ ସଂପୃକ୍ତି ରହିଛନ୍ତି । ତେଣୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କରୁଥିବା ନାଟକରେ ବିଜେଡି ଛାନିଆ ହୋଇପଡ଼ିଛି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ।