ପଦାକୁ ଆସିଲା ଆଉ ଏକ ବଡ ଠକେଇ : ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସରୁ ୧୦୯ କୋଟି ଟଙ୍କା ଠକିଛନ୍ତି ଚିନିକଳ ମାଲିକ

69

କନକ ବ୍ୟୁରୋ : ପିଏନବି, ରୋଟୋମାକ୍ ଠକେଇ ପରେ ଏବେ ସମ୍ନାକୁ ଆସିଛି ଆଉ ଏକ ବଡ ଠକେଇ । ସିମ୍ଭାଓଲି ସୁଗାର୍ସ ମାଲିକ ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସରୁ ୧୦୯ କୋଟି ଟଙ୍କାର ଋଣ ନେଇ ପରିଶୋଧ କରିନ ଥିବା ଜଣାପଡିଛି । ଏନେଇ ଚିନିକଳର ମାଲିକଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଋଣ ଖିଲାପ କରିଥିବା ଅଭିଯୋଗରେ ସିମ୍ଭାଓଲି ସୁଗାର୍ସ ଲିମିଟେଡ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଛି । ଏତଲାରେ କମ୍ପାନୀର ସିଏମଡି ଗୁରମିତ ସିଂହମାନ, ଡେପୁଟି ଏମଡି ଗୁରପାଲ ସିଂହ ଏବଂ ଅନ୍ୟ ଆଠ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ରହିଛି । ଏହି ଅଧିକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଂଜାବର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଜ୍ୱାଇଁ ବୋଲି ଜଣାପଡିଛି ।

ସିମ୍ଭାଓଲି ସୁଗାର୍ସ ମାମଲାରେ ସିବିଆଇ ଦିଲ୍ଲୀ ଓ ଉତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢଉ କରିଛି । ୨୦୧୧ ମସିହାରେ ଏହି କମ୍ପାନୀ ପକ୍ଷରୁ ୫୨୦୦ ଆଖୁ ଚାଷୀଙ୍କ ନାମରେ ଖାତା ଖୋଲିବା ପାଇଁ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସକୁ କୁହାଯାଇଥିଲା । ପ୍ରତି ଚାଷୀଙ୍କ ନାମରେ ୩ ଲକ୍ଷ ଟଙ୍କାର ଋଣ ଟଙ୍କାର ଋଣ ମଂଜୁର ହୋଇଥିଲା । ଏହି ସବୁ ଚାଷୀମାନଙ୍କ ନାମରେ କମ୍ପାନୀ ପ୍ରାୟ ୧୪୯ କୋଟି ଟଙ୍କାର ଋଣ ନେଇଥିଲା । ମାତ୍ର ପରେ ଚାଷୀଙ୍କୁ ଦିଆଯାଇଥିବା ଅର୍ଥକୁ କମ୍ପାନୀ ଅନ୍ୟତ୍ର ନେଇ ବ୍ୟବହାର କରିଥିବା ବ୍ୟାଙ୍କ ଜାଣିବାକୁ ପାଇଥିଲା । ଏନେଇ ବ୍ୟାଙ୍କ ଏକ ମାମଲା ରୁଜୁ କରିଥିଲା । ତେବେ ମୋଟ ଉପରେ ସିମ୍ଭାଓଲି ସୁଗର୍ସ ଯୋଗୁଁ ଓବିସିକୁ ୧୪୮ କୋଟି ଟଙ୍କାର କ୍ଷତି ପହଂଚାଇଛି ବୋଲି ସିବିଆଇ କହିଛି ।