ପୂର୍ବତନ କଂଗ୍ରେସ ନେତା ଜୟନ୍ତୀ ନଟରାଜନଙ୍କ ଘରେ ସିବିଆଇ ରେଡ୍! ମନ୍ତ୍ରୀ ଥିବା ବେଳେ ପଦ ଅପବ୍ୟବହାର ଅଭିଯୋଗ

29

କନକ ବ୍ୟୁରୋ : ପୂର୍ବତନ ପରିବେଶ ମନ୍ତ୍ରୀଙ୍କ ଘରେ ସିବିଆଇର ଛାନଭିନ୍ । ଜୟନ୍ତୀ ନଟରାଜଙ୍କ ଘରେ ଅନୁସନ୍ଧାନ କରିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଚେନ୍ନାଇ ସ୍ଥିତ ନଟରାଜନଙ୍କ ଘରେ ସିବିଆଇ ରେଡ୍ କରିଛି । ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ସିବିଆଇ ଛାପା ମାରିଛି, ସେ ବାବଦରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ୟୁପିଏ ସରକାର ବେଳେ ମନ୍ତ୍ରୀ ଥିବା ବେଳେ କିଛି ଅନିୟମିତତା ପାଇଁ ଏହି ରେଡ୍ ହୋଇଛି । କୁହାଯାଉଛି, ଜୟନ୍ତୀ ନଟରାଜନ ମନ୍ତ୍ରୀ ଥିବା ସମୟରେ, ନିୟମକୁ ଉଲ୍ଲଂଘନ କରି ଝାଡଖଣ୍ଡରେ କିଛି କଂପାନୀକୁ ପ୍ରକଳ୍ପ କାମ ପାଇଁ ଅନୁମତି ଦେଇଥିବା ଅଭିଯୋଗରେ ଏହି ରେଡ ହୋଇଛି ।

୬୩ ବର୍ଷୀୟ ଜୟନ୍ତୀ ନଟରାଜନ୍ ଜୁଲାଇ ୨୦୧୧ରୁ ଡିସେମ୍ବର ୨୦୧୩ ଯାଏଁ ମନମୋହନ ସିଂ ସରକାରରେ ପରିବେଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଆଉ ଏହି ସମୟରେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗରେ ସିବିଆଇ ରେଡ୍ କରିଥିବା ଅନୁମାନ କରାଯାଉଛି । ଏବାବଦରେ ତାଙ୍କ ନାଁରେ ତିନୋଟି ଅଭିଯୋଗ ହୋଇଥିଲା । ଏହାରି ଆଧାରରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ ଆରମ୍ଭ କରିଛି ।

ଜାନୁୟାରୀ ୨୦୧୫ରେ ଜୟନ୍ତୀ ନଟରାଜନ କଂଗ୍ରେସ ଛାଡିଥିଲେ । ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ସେ ଏହି ସର୍ବପୂରାତନ ଦଳରୁ ବାହାରି ଯାଇଥିଲେ । ପରିବେଶ ମନ୍ତ୍ରୀ ଥିବା ବେଳେ ତାଙ୍କୁ ପରିବେଶର ରକ୍ଷା କରିବାକୁ ରାହୁଲ ଗାନ୍ଧୀ କହିଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୪ ନିର୍ବାଚନ ବେଳେ ତାଙ୍କ ନିଷ୍ପତ୍ତିକୁ ଜନସାଧାରଣଙ୍କ ସମ୍ମୁଖରେ ନିନ୍ଦା କରିଥିଲେ । ଏହାର ପ୍ରତିବାଦ କରିବା ସହ ରାହୁଲଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ ଜୟନ୍ତୀ । ଆଉ ଏହାପରେ ଦଳ ଛାଡିଦେଇଥିଲେ । ଆଉ ଏହାରି ଭିତରେ ତାଙ୍କ ଘରେ ସିବିଆଇ ରେଡ ପରେ ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆସିଛନ୍ତି ନଟରାଜନ୍ ।