ସିସୋର ଠକେଇ ମାମଲାରେ ସକ୍ରିୟ ହେଲା ସିବିଆଇ : ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ଚଢାଉ

50

କନକ ବ୍ୟୁରୋ : ପଂଚାୟତ ପୂର୍ବରୁ ଫେରିଲା ସିବିଆଇ । ଚିଟଫଣ୍ଡ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥା ଘେରିଛି ବିଜେଡି ନେତାଙ୍କୁ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ରାଜ୍ୟରେ ଏକ ବଡଧରଣର ଚଢାଉ କରିଛି ସିବିଆଇ । ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ୨୫ଟି ସ୍ଥାନରେ ଛାପା ମାରିଛନ୍ତି ସିବିଆଇର ଅଧିକାରୀ । ବିଜେଡି ସାଂସଦ, ବିଧାୟକ ଓ ନବୀନ ନିବାସର ପୂର୍ବତନ କର୍ମଚାରୀଙ୍କ ଘରେ ସିବିଆଇ ଛାନଭିନ୍ କରୁଛି ।

ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ଚଢାଉ କରିଛି । ଚିଟଫଣ୍ଡ ସଂସ୍ଥା ସିସୋର ସହ ମଧ୍ୟସ୍ଥତା ନେଇ ସିବିଆଇର ସ୍କାନରକୁ ଆସିଛନ୍ତି ସରୋଜ ସାହୁ । ସରୋଜଙ୍କ ଆକାଉଂଟ ଜରିଆରେ ସିସୋର ଟଙ୍କା କାରବାର ହୋଇଥିବା ସନ୍ଦେହ କରୁଛି ସିବିଆଇ । ପୂର୍ବରୁ ୨୦୧୪ରେ ସରୋଜଙ୍କୁ ଜେରା କରିଥିଲା ସିବିଆଇ । ସେତେବେଳେ ସମସ୍ତେ ଭାବିିଥିଲେ ତଦନ୍ତକାରୀ ସଂସ୍ଥାର ହାତ ଏଥର ନବୀନ ନିବାସରେ ପହଁଚିବ । ତେବେ ଶିଥିଳ ପଡିଯାଇଥିଲା ତଦନ୍ତ । ଏବେ ୨ ବର୍ଷ ପରେ ପୁଣି ସକ୍ରିୟ ହୋଇଉଠିଛି ସିବିଆଇର ତଦନ୍ତ ।

ସେପଟେ ସାଂସଦ ରବୀନ୍ଦ୍ର ଜେନାଙ୍କ ୨ଟି ଘରେ ରେଡ୍ ହୋଇଛି । ବାଲେଶ୍ୱର ମାନସିଂ ବଜାର ସ୍ଥିତ ବାସଭବନରେ ଛାନଭିନ୍ ଜାରି ରହିଛି । ସାଂସଦଙ୍କ କମ୍ପାନୀ ସହ ସିସୋର ଲିଙ୍କ ନେଇ ପଚରାଉଚରା କରୁଛି ସିବିଆଇ । ଏହି ଘଟଣାରେ ପୂର୍ବରୁ ଏକାଧିକ ଥର ସିବିଆଇରେ ହାଜର ହୋଇଛନ୍ତି ସାଂସଦ ରବିନ୍ଦ୍ର ଜେନା । ଆଜି ମଧ୍ୟ ହାଜର ହେବା ପାଇଁ ନୋଟିସ କରିଥିଲା ସିବିଆଇ ।

ସିସୋର ଚିଟଫଣ୍ଡ ଠକେଇ ନେଇ ସିବିଆଇର ଧରପଗଡକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ସମୀର ମହାନ୍ତି କହିଛନ୍ତି ଆଇନ୍ ତା ବାଟରେ ଯାଉଛି । ଗରିବଙ୍କ ଟଙ୍କା ଆତ୍ମସାତ କରିଥିବା ବ୍ୟକ୍ତି ଜେଲ ଯିବା ଦରକାର ।

ସେପଟେ ଏହି ଘଟଣାରେ ବିଜେଡି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ । ଆଜିର ରେଡ୍ ଚିଟଫଣ୍ଡ ସହ ବିଜେଡିର ସମ୍ପର୍କକୁ ଆହୁରି ପ୍ରମାଣିତ କରୁଛି । ଆଗକୁ ନବୀନ ନିବାସର ସିବିଆଇ ରେଡ କରିବ ବୋଲି ଆଶା କରାଯାଉଛି । ଶତର ରାଉତ ବିଜେପିକୁ ମଧ୍ୟ ବାଦ ଦେଇନାହାନ୍ତି । କହିଛନ୍ତି ବିଜେପି ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛି । ଶୀଥିଳ ସିବିଆଇ ତଦନ୍ତକୁ ପୁଣି ସକ୍ରିୟ କରାଯାଇଛି ।

ସିବିଆଇର ମାରାଥନ ରେଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦୋର ରାଉତ । କହିଲେ ଯିଏ ଅପରାଧ କରିଥିବେ ସେ ଦଣ୍ଡ ପାଇବେ । ନବୀନଙ୍କ ଘରେ କର୍ମଚାରୀ ଭୁଲ କଲେ ନବୀନଙ୍କୁ ଦାୟୀ କରିବା କେମିତି ପାଲଟା ପ୍ରଶ୍ନ କରିଛନ୍ତି ଦାମୋଦର ରାଉତ । କୌଣସି ବ୍ୟକ୍ତି ସିସୋର ସହ ସମ୍ପର୍କ ରଖିଥିଲେ ବିଜେଡି କାହିଁକି ଦାୟୀ ରହିବ ବୋଲି ମଧ୍ୟ କହିଛନ୍ତି ।