ସିବିଆଇର ସାଂଘାତିକ ଖୁଲାସା ! କଂପାନୀକୁ ଫାଇଦା ଦେବାକୁ ଦିଆଯାଇଥିଲା ଟଙ୍କା , ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ଆକାଉଂଟକୁ ଆସିଥିଲା ବିପୁଳ ପରିମାଣର ଅର୍ଥ

26

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫ ପ୍ରସଙ୍ଗରେ ପ୍ରେସ ରିଲିଜ ଜାରି କରିଛି ସିବିଆଇ । କିଛି ଚାଂଚଲ୍ୟକର ତଥ୍ୟ ସିବିଆଇର ଏହି ପ୍ରେସ ରିଲିଜରେ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ଏକ ଘରୋଇ କଂପାନୀ ଆକଉଂଟରୁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ଆକାଉଂଟକୁ ବିପୁଳ ପରିମାଣରେ ଅର୍ଥ ଆସିଛି । ତେବେ କେଉଁ କଂପାନୀରୁ ଏହି ଅର୍ଥ ଆସିଛି, ସେ ବାବଦରେ ସିବିଆଇ ସ୍ପଷ୍ଟ କରିନାହିଁ । ତେବେ କୁହାଯାଇଛି, କଟକ ଓ ଏହାର ଆଖପାଖ ଅଂଚଳରେ ଉକ୍ତ କଂପାନୀ ଯେଭଳି ବିନା କୈାଣସି ବାଧାବିଘ୍ନରେ କାମକରେ ସେଥିପାଇଁ ଏହି ଅର୍ଥ ଘରୋଇ କଂପାନୀର ସିଏମଡି ଦେଇଥିଲେ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ରାଜ୍ୟରେ ଚିଟଫଣ୍ଡ କଂପାନୀ କିଭଳି କାମ କରିବ, ସେଥିପାଇଁ ଶାସକ ଦଳ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲା । ସିବିଆଇ ପ୍ରେସ ରିଲିଜରୁ ଏହି ବାର୍ତ୍ତା ମିଳୁଛି । ପ୍ରଭାତ ବିଶ୍ୱାଳ, କଟକ ରାଜନୀତିର ଜଣେ ଟାଣୁଅ ନେତା । ଆଉ ତାଙ୍କୁ ବ୍ୟବହାର କରି ଏହି କଂପାନୀ ଲୋକଙ୍କୁ ଠକିବା ପାଇଁ ଜାଲ ବିଛାଇଥିବା କଥା ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାର ପ୍ରମାଣ ସିବିଆଇ ହାତରେ ଲାଗିଛି । ତେବେ ସିବିଆଇର ଏହି ପ୍ରେସ ରିଲିଜ ବିବାଦ ମଧ୍ୟ ସାମ୍ନାକୁ ଆଣିଛି । କାହିଁକି କଂପାନୀର ନାଁ ଉପସ୍ଥାପନ କରିବାକୁ ସିବିଆଇ ଆଗ୍ରହ ପ୍ରକାଶ କରିନାହିଁ । ଯଦି ଟଙ୍କା ନେଣଦେଣ ବ୍ୟାଙ୍କ ମାଧ୍ୟମରେ ହୋଇଥିଲା, ତେବେ ସିବିଆଇକୁ କାହିଁକି ୩ ବର୍ଷ ଲାଗିଗଲା ଗିରଫ କରିବା ପାଇଁ । ଏହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କଣ ଫାଇଦା ଦେଇଥିଲେ କଂପାନୀକୁ? ଏହାରି ଉପରେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ । ସିସୋର ସହ ଜମି କାରବାର ମାମଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିବା ଚର୍ଚ୍ଚା ଭିତରେ ଏହି ନୂଆ ତଥ୍ୟ ପୁଣି ଶାସକ ଦଳକୁ ଅଡୁଆରେ ପକାଇପାରେ । କାରଣ ଏଠି ଅଭିଯୋଗ ଅଛି ସଂଗୀନ । କାରଣ, ଠକ କଂପାନୀକୁ ସହଯୋଗ କରିବାକୁ ଯାଇ ବିଧାୟକ ନେଇଥିଲେ ଟଙ୍କା ।