ନର୍ଲା ମଧୁପୁର ଗାଁରେ କ୍ରାଇମବ୍ରାଂଚ ଟିମର ଛାନଭିନ୍! ସେପଟେ ରାଉରକେଲା ଆଇଜିଏଚରେ ଜୀବନ ସହ ଜୁଝୁଛି ନାବାଳିକା

15

କନକ ବ୍ୟୁରୋ : ନର୍ଲା ନାବାଳିକାଙ୍କୁ ପୋଡି ହତ୍ୟା ଉଦ୍ୟମ ଘଟଣାରେ ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଂଚ । ନର୍ଲାରେ ପହଂଚିଛନ୍ତି କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍ । ଜଣେ ମହିଳା ଇନସପେକ୍ଟରଙ୍କ ସମେତ କ୍ରାଇମବ୍ରାଂଚର ୪ ଜଣ ଅଧିକାରୀ ନର୍ଲାରେ ପହଂଚି ତଦନ୍ତ କରିଛନ୍ତି । ପୀଡିତାଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛନ୍ତି । ପୁରା ଘଟଣା ସଂପର୍କରେ ପଚାରି ବୁଝିବା ସହ ବିଭିନ୍ନ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାନଭିନ କରିଥିବେବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ତଦନ୍ତକାରୀ ଟିମ୍ ।

କଳାହାଣ୍ଡି ଜିଲ୍ଲା ନର୍ଲାର ମଧୁପୁରରେ ଗତ ବୁଧବାର ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ତାଙ୍କ ସମ୍ପର୍କୀୟ ଦୁଇ ମାମୁ ଜୀଅନ୍ତା ପୋଡି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କ ଘରେ ପଶି କିରୋସିନ ଢାଳି ଜାଳି ଦେଇଥିଲେ । ଏ ସଂପର୍କରେ ନର୍ଲା ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା । ତେବେ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ୍ । ରସୁଲଗଡ ସ୍ଥିତ ଫରେନସିକ ଲ୍ୟାବର ଅଧିକାରୀ ମଧ୍ୟ କ୍ରାଇମବ୍ରାଂଚକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ଏପଟେ ସଂପୃକ୍ତ ନାବାଳିକା ଏବେ ରାଉରକେଲା ଆଇଜିଏଚରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଚିକିତ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଚିକିତ୍ସା ଅର୍ଥ ପୈଠ କରିବା ପାଇଁ ଆଇଜିଏଚ କର୍ତ୍ତୃପକ୍ଷ ତାଗିଦ କରୁଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଶୁକ୍ରବାର ଭୋରରୁ ବୁର୍ଲା ହସ୍ପିଟାଲରୁ ଆସି ରାଉରକେଲା ଇସ୍ପାତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନାବାଳିକା ଜଣକ । ସେହିଦିନ ସଂଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ହସ୍ପିଟାଲ ଆସି ନାବାଳିକାଙ୍କ ସଂପୂର୍ଣ୍ଣ ଚିକିତ୍ସା ମାଗଣାରେ ହେବ ବୋଲି କହିଦେଇ ଯାଇଥିଲେ । ହେଲେ ଏହାପରେ ମଧ୍ୟ ପରିବାର ଲୋକଙ୍କୁ ଚିକିତ୍ସା ବାବଦ ଟଙ୍କା ପୈଠ କରିବାକୁ ତାଗିଦ କରାଯାଉଥିବା ଅଭିଯୋଗ ହୋଇଛି ।

ରାଉରକେଲାରେ ଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଇଜିଏଚରେ ପହଂଚି ନର୍ଲା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ପୀଡିତାଙ୍କ ଚିକିତ୍ସା କିଭଳି ମାଗଣାରେ ହୋଇପାରିବ ସେଥିପାଇଁ ସମସ୍ତ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରସଙ୍ଗରେ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଆଇଜିଏଚରେ ଭର୍ତ୍ତି ନର୍ଲା ନାବାଳିକାଙ୍କୁ ମଧ୍ୟ ଭେଟିଛନ୍ତି ଜିଲ୍ଲା କଂଗ୍ରେସର ଏକ ଟିମ୍ । ପୀଡିତାଙ୍କ ସପର୍କୀୟ ଓ ଆଇଜିଏଚ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ମାନବିକତା ଦେଖାଇ ତାଙ୍କର ସଂପୂର୍ଣ୍ଣ ମାଗଣା ଚିକିତ୍ସା କରିବାକୁ ଦାବି କରିଛନ୍ତି ।