ପୁଣି ଖୋଲିଲା ସିିବିଆଇ ପେଡ଼ି । ନିର୍ବାଚନ ପୂର୍ବରୁ ବିଜେଡିର ୨ ତୁଙ୍ଗ ନେତାଙ୍କୁ ସିବିଆଇର ଡ଼ାକରା ।

1,088

କନକ ବ୍ୟୁରୋ: ବିଜେଡିର ୨ ନେତାଙ୍କୁ ଦିଲ୍ଲୀରୁ ଆସିଲା ସିବିଆଇ ଡ଼ାକରା । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚିଟଫଣ୍ଡ ଠକେଇ ମାମଲାରେ ବିଜେଡିର ପୂର୍ବତନ ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଚରାଉଚୁରା ପାଇଁ ନୋଟିସ୍ ହୋଇଥିବା ସୂଚନା ମିଳିଛି ।

ପୁଣି ଖୋଲିଲା ସିବିଆଇର ଫର୍ଦ୍ଦ । ପୂର୍ବରୁ ଶାସକ ଦଳର ବିଭିନ୍ନ ନେତାଙ୍କ ନାଁ ଚିଟଫଣ୍ଡ ଘୋଟାଲାରେ ସାମିଲଥିବା ଉଭୟ ବିରୋଧୀଦଳ ବିଜେପି ଓ କଂଗ୍ରେସ ଦାବି କରିଆସୁଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜେଡିର କିଛି ନେତାଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ସେହି ତାଲିକାରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଭଳି ନେତାଙ୍କ ନାଁ ରହିଥିଲା ।

ଗୋଟିଏ ପଟେ ନିର୍ବାଚନ ଆସିଲା ଆଉ ଆରମ୍ଭ ହେଲା ରାଜନୈତିକ ଗୋଟିଚାଳନା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । କାରଣ ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ ପାଇଁ ବିଜେଡି ନେତାଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ଦିଲ୍ଲୀ ସିବିଆଇର ଡ଼ାକରା ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି ।