ଦିଲ୍ଲୀ ପହଞ୍ଚିଲା କୋଲକତା ଝଡ଼! ସିବିଆଇ-ପଶ୍ଚିମବଙ୍ଗ ପୁଲିସ୍ ବିବାଦକୁ ନେଇ ସଂସଦରେ ହଙ୍ଗାମା, ବିରୋଧୀଙ୍କ ଟାର୍ଗେଟରେ ମୋଦି ସରକାର । 

133

କନକ ବ୍ୟୁରୋ : ସଂସଦରେ ପଶ୍ଚିମବଙ୍ଗ ଝଡ । କୋଲକାତାରେ ସିବିଆଇ ବନାମ ପୋଲିସକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ପାର୍ଲାମେଂଟରେ ସରକାର ବନାମ ବିରୋଧୀ ଲଢ଼େଇର ରୁପ ନେଇଛି । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ସେପଟେ ଗୃହମନ୍ତ୍ରୀ କହିଛନ୍ତି, ମମତାଙ୍କ ଆଚରଣ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ।

ସିବିଆଇ ଭର୍ସେସ୍ ପଶ୍ଚିମବଙ୍ଗ ପୁଲିସ୍ ବିବାଦ କୋଲକତାରୁ ଦିଲ୍ଲୀ ପହଂଚିବା ଭିତରେ ହୁଏତ ବଦଳି ଯାଇଛି, ସିବିଆଇ ଝଡ଼ର ସ୍ୱରୂପ । ଏହି ବିବାଦ କେବଳ ଚିଟଫଣ୍ଡ ତଦନ୍ତ କିମ୍ବା ସିବିଆଇ-ପୁଲିସ୍ ବିବାଦ ହୋଇ ରହିନି ବରଂ ସଂସଦ ଭବନରେ ପହଂଚିଲା ବେଳକୁ ଏହା ସରକାର ବନାମ ବିରୋଧୀ ଲଢ଼େଇର ରୁପ ନେଇଛି । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ।

ମୋଦି ଓ କେନ୍ଦ୍ର ସରକାର ସିବିଆଇ ଲଗାଇ ବିରୋଧୀଙ୍କୁ ମୁଳପୋଛ କରିବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଗୃହମନ୍ତ୍ରୀ କହିଛନ୍ତି- ମମତାଙ୍କ ଆଚରଣ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ । ଆଉ ଏହାରି ଭିତରେ ମମତାଙ୍କ ସମର୍ଥନରେ ମୈଦାନକୁ ଓହ୍ଲାଇ ଆସିଛନ୍ତି ମୋଦି ବିରୋଧୀ ଶକ୍ତି । କଂଗ୍ରେସ, ଆପ୍, ସମାଜବାଦୀ ପାର୍ଟି ମମତାଙ୍କୁ ସମର୍ଥନ କରିବା ସହ ମୋଦିଙ୍କ ଉପରେ ବର୍ଷିଛନ୍ତି ।

ଆଉ ଏପଟେ ବିରୋଧୀଙ୍କ ହମଲାର ଜବାବ୍ ରଖିବାକୁ ମୈଦାନକୁ ଓହ୍ଲାଇ ଆସିଛି ବିଜେପି ବ୍ରିଗେଡ୍ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମମତାଙ୍କୁ ସମାଲୋଚନା କରି କହିଛନ୍ତି-ଏହା ମମତାଙ୍କ ଜରୁରୀ ପରିସ୍ଥିତି, ଆମର ନୁହେଁ । ଆଉ ଏହି ଜରୁରୀ ପରିସ୍ଥିତି ସହ ଲଢ଼ିବାକୁ ଆମେ ପ୍ରସ୍ତୁତ ବୋଲି ଆହ୍ୱାନ ଦେଇଛନ୍ତି । ଅନରୁପ ଢ଼ଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସଂଖ୍ୟାଲଘୁ ବ୍ୟାପରମନ୍ତ୍ରୀ ମଧ୍ୟ ଟିଏମ୍ସିର ହସ୍ତକ୍ଷେପକୁ ନିନ୍ଦା କରିଛନ୍ତି ।

ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ସଂସଦରେ ପ୍ରଭାବିତ ହୋଇଛି ଉଭୟ ଗୃହ କାର୍ଯ୍ୟ । ଏପଟେ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । କୋଲକାତା ସଂକଟ ପ୍ରସଙ୍ଗରେ ସଂସଦରେ ଆଲୋଚନା ବେଳେ ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ମତ ଦେଇଛି ବିଜେଡି । ବିଜେଡି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ କହିଛନ୍ତି, ଓଡ଼ିଶାର ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ବର୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ସିବିଆଇ ଯେଉଁଭଳି ଭାବେ କାର୍ଯ୍ୟ କରୁଛି, ତାହା ସିବିଆଇର ବୃତିଗତ ମନୋଭାବକୁ ଦର୍ଶାଉନାହିଁ । ସିବିଆଇ ତା’ର ଗାରିମାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଭର୍ତୃହରି । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ସିବିଆଇକୁ ହାତବାରିସୀ କରି ରାଜନୈତିକ ଆକ୍ରୋଶ ରଖିବା ଠିକ୍ ନୁହେଁ । ତେବେ ରାଜ୍ୟ ବିଜେପି ସଭାପତି କହିଛନ୍ତି ସିବିଆଇ ତା’ର ଦାୟିତ୍ୱ ନିର୍ବାହ କରୁଛି ।