କୋଲକାତା ପୋଲିସ୍ କମିଶନରଙ୍କୁ ଘାଣ୍ଟିଲା ସିବିଆଇ । ସାରଦା ଚିଟଫଣ୍ଡ ଘୋଟାଲା ଅଭିଯୋଗରେ ରାଜୀବଙ୍କୁ ୮ଘଣ୍ଟା ମାରାଥନ୍ ଜେରା ।

229

କନକ ବ୍ୟୁରୋ: ସାରଦା ଚିଟଫଣ୍ଡ ଘୋଟାଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇର ମାରାଥନ୍ ଜେରା । ସୂଚନା ମୁତାବକ ରାଜୀବ କୁମାରଙ୍କୁ ୮ ଘଣ୍ଟା ଧରି ଜେରା କରିଛି ସିବିଆଇ । ତେବେ ସାରଦା ଓ ରୋଜଭ୍ୟାଲି ଚିଟ୍ ଫଣ୍ଡ ଘୋଟାଲାରେ ପ୍ରମାଣ ଲୁଚାଇ ରଖିବା ଭଳି ଅଭିଯୋଗ ରାଜୀବଙ୍କ ବିରୋଧରେ ରହିଛି । ତେବେ ପୂର୍ବରୁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ମେଘାଳୟର ରାଜଧାନୀ ସିଲଙ୍ଗରେ ସିବିଆଇର ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜୀବ କୁମାର କୋଲକାତାରୁ ସିଲଙ୍ଗ ପହଞ୍ଚି ଜେରା ହୋଇଛନ୍ତି ।

ସୂଚନା ମୁତାବକ ଅକଲାଣ୍ଡ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ସକାଳ ୧୦ଟାରେ ପହଞ୍ଚିଥିଲେ । ଆଜି ସିବିଆଇ ରାଜୀବ କୁମାରଙ୍କୁ ପ୍ରାୟ ସାଢେ ସାତ ଘଣ୍ଟା ଜେରା କରିଛନ୍ତି । ଡିଆଇଜି ବିବେକ୍ ଦତ୍ତଙ୍କ ନେତୃତ୍ୱରେ ଏସ୍ପି, ଆଡିସ୍ନାଲ୍ ଏସ୍ପି ଓ ଡିଏସ୍ପି ଆଦି ପଦବୀର ଅଧିକାରୀମାନଙ୍କୁ ନେଇ ଏକ ୧୨ ଜଣିଆ ଦଳ ରାଜୀବଙ୍କୁ ମାରାଥନ୍ ଜେରା କରିଛନ୍ତି । ସେପଟେ ଆସନ୍ତାକାଲି ସରସ୍ଵତୀ ପୂଜାରେ ମଧ୍ୟ ରାଜୀବ କୁମାରଙ୍କୁ  ସିବିଆଇ ଜେରା ବୋଲି ସୂଚନା ମିଳିଛି । 

ଅନ୍ୟପଟେ କୋଲକାତା କମିଶନରଙ୍କ ଘରେ ସିବିଆଇ ପସିବା ଘଟଣାରେ ମୋଦି ଓ ଦିଦିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏପରିକି ଧାରଣା ଦେଇ ମମତା ମୋଦିଙ୍କୁ ଆଞ୍ଚଳିକ ଦଳର ଏକତା ଦେଖାଇଥିଲେ । ଏହାକୁ ଅନେକ ମହଲରେ ଦିଦିଙ୍କୁ ସମର୍ଥନ ମିଳିଥିବାବେଳେ ଅନ୍ୟପଟେ ରାଜୀବଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ ସୃଷ୍ଟି କରିଥିଲା । ଏବେ ରାଜୀବଙ୍କୁ ସିବିଆଇର ମାରାଥନ ଜେରା କେତେ ସତ ଆଉ କେତେ ମିଛ ବାହାର କରିବ ଏବଂ ଚିଟଫଣ୍ଡ ଚେର ପାଖରେ ପହଁଚି ପାରିବ ନା ନାହିଁ ତାହା ଉପରେ ସମସ୍ତଙ୍କ  ନଜର ରହିଛି ।