ସିବିଆଇର ତନାଘନା ! ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ, ମୁହାଁ ମୁହିଁ ହେଲେ ଶାସକ ଓ ବିରୋଧୀ ।

21

ସିବିଆଇ ଜେରାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ତଦନ୍ତକାରୀ ସଂସ୍ଥା ସିବିଆଇର ଆକସନ ମୁଡକୁ ଦେଖି ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ଯାହାକୁ ନେଇ ତୁ ତୁ ମେଁ ମେଁ ହେଉଛନ୍ତି ଉଭୟ ଶାସକ ଓ ବିରୋଧୀ । ପର୍ଯ୍ୟଟନ ବିଭାଗ ସହ ସି-ସୋର ଚୁକ୍ତି ମାମଲାରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସମନ ଜାରି କରିବା ପରେ ରାଜନୈତିକ ବାକବିତଣ୍ଡା ବଢ଼ିବାରେ ଲାଗିଛି । ବିଜେଡି ସୁପ୍ରିମକୋର୍ଟଙ୍କ ପୂର୍ବ ଉକ୍ତିକୁ ଦୋହରାଇଥିବାବେଳେ, ବିଜେପି କହିଛି ଶାସକ ଦଳର ବହୁନେତା ସଂପୃକ୍ତି ଯୋଗୁଁ ଭୟଭୀତ ହେଉଛନ୍ତି ରାଜ୍ୟ ସରକାର । ସେପଟେ କଂଗ୍ରେସ କହିଛି ଉଭୟ ବିଜେଡି ଓ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି, ଯାହାର ଯବାବ ଜନତା ଖୁବ ଶୀଘ୍ର ଦେବେ ।

ସୁଚନା ମୁତାବକ ସି-ସୋର ସଂସ୍ଥା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ଦୁଇଟି ପ୍ରକଳ୍ପ ଚୁକ୍ତି କରିଥିଲା । ପର୍ଯ୍ୟଟନ ବିଭାଗର ପୂର୍ବତନ ସଚିବ ପରାଗ ଗୁପ୍ତା ଥିବାବେଳେ ଦୁଇଟି ଏମଓୟୁ ସ୍ୱାକ୍ଷର ହୋଇଥିଲା ଯାହାକୁ ନେଇ ସିବିଆଇ ଏବେ ଛାନଭିନ ଆରମ୍ଭ କରିଛି । ତେବେ ଅନେକ ଦିନର ବ୍ୟବଧାନ ପରେ ଚିଟଫଣ୍ଡ ଖୋଳତାଡକୁ ଯେଉଁଠି ବିରାମ ଦେଇଥିଲା ସିବିଆଇ ପୁଣି ସେହିଠାରୁ ତଦନ୍ତ ଆରମ୍ଭ କରିବାକୁ ନେଇ ଶାସକ ଓ ବିରୋଧୀ ଦଳ ମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି । ଏଭଳି ଅଚାନକ ସିବିଆଇର ଆକସନ ମୁଡ ନେଇ ବିଜେଡି କହିଛି ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଉପରେ ଚାପ ପକାଇବା ପାଇଁ ସିବିଆଇକୁ ଢ଼ାଲ କରିଛି ବିଜେପି । ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ଦୋହରାଇ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ସିବିଆଇକୁ ପଞ୍ଜୁରୀର ଶୁଆ ଭଳି ବ୍ୟବହାର କରାଯାଉଛି । ଯାହା ଦର୍ଶାଉଛି କେନ୍ଦ୍ରରେ କ୍ଷମତାରେ ଥିବା ଯୋଗୁଁ ରାଜନୈତିକ ଦଳର କଣ୍ଠରୋଧ ପ୍ରୟାସ କରୁଛି ବିଜେପି ।

ସେପଟେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ବିଜେଡି ଅଭିଯୋଗର ଉତ୍ତର ରଖି କହିଛନ୍ତି, ଚିଟଫଣ୍ଡ ମାମଲା ଏକ ଆନ୍ତରାଜ୍ୟ ଅପରାଧିକ ମାମଲା ହୋଇଥିବାରୁ ଏହାର ଚେର ଅନେକ ରାଜ୍ୟକୁ ଲମ୍ବିଛି । ଓଡିଶାରୁ, କୋଲକାତା, ବମ୍ବେ ଓ ଗୌହାଟୀ ଭଳି ଅନେକ ସ୍ଥାନକୁ ଏହାର ଲିଙ୍କ ରହିଛି । ଏବଂ ଏହି ମହାଘୋଟାଲାରେ ଶାସକ ଦଳର ବହୁ ପୂର୍ବତନ ମନ୍ତ୍ରୀ, ସାଂସଦ , ବିଧାୟକ ମାନଙ୍କର ସଂପୃକ୍ତି ଥିବାରୁ ଭୟଭୀତ ହୋଇ ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଆରୋପ ଲଗାଉଛି ଶାସକ ଦଳ । ରାଜ୍ୟର ଦୁଇ ଦଳ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ କଂଗ୍ରେସ ମାରିଛି ଚଉକା । କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେ, କେନ୍ଦ୍ରରେ କଂଗ୍ରେସ ଥିବାବେଳେ ଏଭଳି ସମ୍ବିଧାନର ହତ୍ୟା ହୋଇନଥିଲା ଯାହା ଏବେ ମୋଦି ସରକାର କରୁଛନ୍ତି । ଉଭୟ ବିଜେଡି ଓ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି । ବିଜେପି ଯେଉଁଭଳି ସିବିଆଇକୁ ବ୍ୟବହାର କରୁଛି , ଶାସକ ଦଳ ବିଜେଡି ମଧ୍ୟ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ଭିଜିଲାନ୍ସକୁ ଦଳର ହିତ ପାଇଁ ବ୍ୟବହାର କରୁଛନ୍ତି । ଏଭଳି ଛଳନାର ମୁଖା ରାଜ୍ୟବାସୀ ହୃଦୟଙ୍ଗମ କରି ସାରିଲେଣି । ଯାହାର ଉତ୍ତର ଖୁବ ଶୀଘ୍ର ବିଜେଡି ଓ ବିଜେପି ପାଇବେ ବୋଲି କହିଛି କଂଗ୍ରେସ ।