ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା ! କ୍ଷମା ମାଗିବାରୁ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

47

କନକ ବ୍ୟୁରୋ : ସିବିଆଇ କ୍ଷମା ମାଗିବାରୁ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ଭୁଲବଶତଃ ଜଷ୍ଟିସ ସି ଆର ଦାଶଙ୍କ ଘରେ ସିବିଆଇ ଅଧିକାରୀ ପଶିବା ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଚଢଉ ପାଇଁ ସିବିଆଇ ଟିମ ଭୁଲରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି ଆର ଦାଶଙ୍କ ଘରେ ପଶିଥିଲେ । ପୂର୍ବତନ ବିଚାରପତି ଆଇ ଏମ କୁଦ୍ଦୁସିଙ୍କୁ ଖୋଜୁଥିବାବେଳେ ସିବିଆଇ ଅଧିକାରୀ ଏହି ତ୍ରୁଟି କରିଥିଲେ । ଯେଉଁଥିପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ଭୁଲ ପାଇଁ ସିବିଆଇ ଭୁଲ ମାଗିବାରୁ ଶେଷରେ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ମେଡିକାଲ କଲେଜ ନାମଲେଖା ଦୁର୍ନୀତି ଅଭିଯୋଗରେ ଚଢ଼ଉ ପାଇଁ ବାହାରିଥିବା ସିବିଆଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍‌ କୁଦ୍ଦୁଶିଙ୍କ ବାସଭବନ ଭାବି ବର୍ତ୍ତମାନର ହାଇକୋର୍ଟ ବିଚାରପତି ସିଆର୍‌ ଦାସଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ । ସିବିଆଇ ଅଧିକାରୀମାନେ ମନ୍ଦ ଉଦ୍ଦେଶ୍ୟ ରଖି ଆସିଥିଲେ ଏବଂ ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରି ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।