ମୋଦି ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ ! ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାର ନିଷ୍ପତ୍ତି ରଦ୍ଦ

250

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ଦେଶର ଚାଲିଥିବା ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା । ଆଉ ଏନେି ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏହି ନିଷ୍ପତିରୁ ସ୍ପଷ୍ଟ ହୋଇଯାଇଛି ଆଲୋକ ବର୍ମା ହିଁ ସିବିଆଇ ମୁଖ୍ୟ ରହିବେ ।

ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୂନଃଅବସ୍ଥାପିତ କରିବାକୁ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ହୋଇଛି ।

ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି, ନିୟମ ଅନୁସାରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବାର କୌଣସି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । କେବଳ ଉଚ୍ଚସ୍ତରୀୟ କମିଟି ପାଖରେ ଏହି ଅଧିକାର ରହିଛି । ଉଚ୍ଚସ୍ତରୀୟ କମିଟିରେ ରହିବେ ପ୍ରଧାନମନ୍ତ୍ରୀ, ସିଜେଆଇ ଲୋକସଭା ବିରୋଧୀ ଦଳ ନେତା । ସୁପ୍ରିମକୋର୍ଟ କହିଛନ୍ତି ଉଚ୍ଚସ୍ତରୀୟ କମିଟି ହାତରେ ଅଛି ମାତ୍ର ଏକ ସପ୍ତାହ । ସେହି ସମୟ ଭିତରେ ହିଁ ନିଷ୍ପତ୍ତି ନେବା ଦରକାର । ତେବେ ଇତି ମଧ୍ୟରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ଆଲୋକ ବର୍ମା ।

ସୂଚନାଯୋଗ୍ୟ ଯେ ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ । ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ । ଏ ନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନଥିଲା । ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ ।