କନକ ବ୍ୟୁରୋ: ସ୍ୱଦେଶୀ ବୋଫର୍ସ ତୋପ ଭାବେ ପରିଚିତ ‘ଧନୁଷ’ ତୋପରେ ଚୀନ୍ ନିର୍ମିତ ନକଲି ଯନ୍ତ୍ରାଂଶ ଲଗାଯାଇଥିବା ଧରାପଡ଼ିଛି। ଧନୁଷ ଉତ୍ପାଦନ ପାଇଁ ଚୀନ୍ରୁ ବ୍ୟାପକ ଭାବେ ନକଲି ଯନ୍ତ୍ରାଂଶ ଖରିଦ କରି ମହଜୁଦ ରଖାଯାଇଥିବା ସଂପର୍କିତ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ଏହାର ଖୋଳତାଡ଼ ଆରମ୍ଭ କରିଦେଇଛି। ଚୀନ୍ ନିର୍ମିତ ନକଲି ଯନ୍ତ୍ରାଂଶ ଉପରେ ମେଡ ଇନ୍ ଜର୍ମାନୀ ଷ୍ଟିକର ଲଗାଇ ବ୍ୟବହାର କରାଯାଇଥିବା ଜଣାପଡ଼ିଛି।
ସିଦ୍ଧ ସେଲ୍ସ ସିଣ୍ଡିକେଟ୍ ନାମକ ଦିଲ୍ଲୀ ସ୍ଥିତ ଏକ କମ୍ପାନି ଏହି ସାମଗ୍ରୀ ଚୀନ୍ରୁ ଆଣି ଜବଲପୁର ଗନ୍ସ କ୍ୟାରେଜ୍ ଫାକ୍ଟ୍ରି (ଜିସିଏଫ୍) ଅଧିକାରୀଙ୍କୁ ପୈଠ କରିଥିବା ଜଣାପଡ଼ିବା ପରେ ଆଜି ସିବିଆଇ ସଂପୃକ୍ତ ଯୋଗାଣକାରୀ ସଂସ୍ଥା ଏବଂ ଜିସିଏଫ୍ର କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧନୁଷ ହେଉଛି ବୋର୍ଫସ ତୋପର ସ୍ୱଦେଶୀ ସଂସ୍କରଣ ଏବଂ ଜିସିଏଫ୍ରେ ଏହି ତୋପର ଉତ୍ପାଦନ ପ୍ରକ୍ରିୟା ଚାଲିଛି। ନକଲି ଚୀନ୍ ସାମଗ୍ରୀ ବ୍ୟବହାର ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଓ ଜାଲିଆତି ରହିଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତୋପରେ ବ୍ୟବହାର ହୋଇଥିବା ଓ୍ଵାଇର୍ ରେସ୍ ରୋଲର ବେରିଙ୍ଗ୍ଗୁଡ଼ିକ ଚୀନ୍ ନିମିତ ଏବଂ ଅତ୍ୟନ୍ତ ନିମ୍ନମାନର । ଜିସିଏଫ୍ ଅଧିକାରୀ ଏବଂ ସଂପୃକ୍ତ ଯୋଗାଣକାରୀ ସଂସ୍ଥାର ସଲାସୁତରାରେ ଏଭଳି ରାଷ୍ଟ୍ରବିରୋଧୀ ଅପରାଧିକ କାର୍ୟ୍ୟ ଚାଲିିଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
Comments are closed.