ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣାକୁ ନେଇ ବଢିଲା ତାତି : ଡିସିପି ଅଫିସରେ କମିସନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

27

କନକ ବ୍ୟୁରୋ : ଅବସରପ୍ରାପ୍ତ ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣାରେ ଆରମ୍ଭ ହୋଇଛି ଛାନଭିନ । ଡିସିପି ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଡିଜିପି ଘଟଣା ନେଇ ଡିସିପିଙ୍କ ଠାରୁ ପଚାରିବୁଝିଛନ୍ତି । ଗତକାଲି ରାତିରେ କ୍ୟାଂଟମେଂଟ ରୋଡ଼ସ୍ଥିତ ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତରଂଜନ ଦାଶଙ୍କ ଘରେ ସିବିଆଇ ଅଫିସର ପଶିଥିଲେ । ଅବସରପ୍ରାପ୍ତ ବିଚାରପତିଙ୍କୁ ଖୋଜୁଥିଲେ ସିବିଆଇ । ତେବେ ଭୁଲବଶତଃ ବିଚାରପତି ଚିତରଂଜନ ଦାସଙ୍କ ଘରେ ପଶିଯାଇଥିବା ଜାଣିବା ପରେ ସିବିଆଇ ଅଫିସର ବିଚାରପତିଙ୍କ ଘରୁ ଚାଲି ଆସିଥିଲା ।

ଏହାର ପ୍ରତିବାଦ କରିଛି ଓଡ଼ିଶା ହାଇକୋର୍ଟବାର ଆସୋସିଏସନ । ଆଜିଠାରୁ ଆସନ୍ତାକାଲି ଦିନ ୧ଟା ୧୫ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ହାଇକୋର୍ଟ ଓକିଲ । ପୁଣି ଆସନ୍ତାକାଲି ଦେଢଟା ବେଳେ ସାଧାରଣ ପରିଷଦ ବୈଠକରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ବାର ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଏହା ସହ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କୁ ଭେଟି ଏହି ଘଟଣାର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି । ରାଜ୍ୟ ପୋଲିସ ପ୍ରଶାସନ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଆଉ ବିଶ୍ୱାସ ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୁହାଯାଇଛି । ସେପଟେ ବିଚାରପତିଙ୍କ ଘରେ ସିବିଆଇ ପଶିବା ନେଇ ମୁଖ୍ୟ ବିଚାରପତିଙ୍କୁ ଭେଟିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ କମିଶନର ।