ଜେଲ୍ ଗଲେ ଆଶୀର୍ବାଦ । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଦେଖନ୍ତୁ ଆଶୀର୍ବାଦଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ।

511

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ଅର୍ଥତତ୍ୱ ଚିଟଫଣ୍ଡ ଠକେଇକୁ ନେଇ ପୁଣି ଆରମ୍ଭ ହୋଇଛି ସିବିଆଇର ତନାଘନା । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଜାମିନ ଖାରଜ ହେବା ପରେ ଝାରପଡା ଜେଲ ଯାଇଛନ୍ତି ଆଶୀର୍ବାଦ । ଅଗଷ୍ଟ ୨୭ ତାରିଖରେ ସିବିଆଇ ଏହି ମାମଲାର ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ପରେ ଆଶୀର୍ବାଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ଆଜି ସକାଳୁ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ଦେଖନ୍ତୁ କଣ ଥିଲା ପୁରା ମାମଲା ଏବଂ ଆଶୀର୍ବାଦଙ୍କ ବିରୋଧରେ କଣ ରହିଛି ଅଭିଯୋଗ ।

ବେଶ କିଛି ଦିନର ନିରବତା ପରେ ଚିଟଫଣ୍ଡ ମାମଲାରେ ପୁଣି ଆକ୍ସନ ମୋଡକୁ ଆସିଛି ସିବିଆଇ । ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ସହ ସଂପୃକ୍ତି ଅଭିଯୋଗରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କଟକ ବାସଭବନରୁ ଗିରଫ କରାଯାଇଛି । ଜାମିନ ଆବେଦନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ସ୍ୱତନ୍ତ୍ର ସିଜେଏମ ସିବିଆଇ କୋର୍ଟ ।

ଅଗଷ୍ଟ ୨୭ ତାରିଖ ଦିନ ଏହି ମାମଲାରେ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା, ହୋଟେଲ ସୋଲାନ୍ ଇନ୍ ମାଲିକ କମଳାକାନ୍ତ ଦାଶ ଓ ଅନ୍ୟ ଜଣେ ବ୍ୟକ୍ତି ସମ୍ବିତ କୁମାର ଖୁଂଟିଆଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ ହୋଇଥିଲା । ସମ୍ବିତ ଖୁଂଟିଆ ପୂର୍ବରୁ ହାଇକୋର୍ଟରୁ ଜାମିନ ପାଇଥିବା ବେଳେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟ ।

ନଜର ପକାନ୍ତୁ ଆଶୀର୍ବାଦଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

– ସଂପୃକ୍ତ ଚିଟଫଣ୍ଡ ସଂସ୍ଥାର ପ୍ରସାର ପ୍ରଚାରରେ ସହଯୋଗ କରିଥିଲେ ଓସିଏର ତତ୍କାଳୀନ ସଂପାଦକ ଆଶୀର୍ବାଦ ବେହେରା ।
– ୨୦୧୧ ମସିହାରେ ଓଡିଶା ପ୍ରିମିୟର ଲିଗ୍ ବା ଓପିଏଲରେ ଅର୍ଥ ଲଗାଇଥିଲା ଚିଟଫଣ୍ଡ ସଂସ୍ଥା ।
– ଓଡିଶା ରଣଜୀ କ୍ରିକେଟ୍ ଟିମ୍ ଓ ଓପିଏଲର ଟାଇଟେଲ ସ୍ପନସରସିପ୍ ପାଇଁ ଚିଟଫଣ୍ଡ ସଂସ୍ଥା ଠାରୁ ପ୍ରାୟ ୧ କୋଟି ଟଙ୍କା ନେଇଥିବା ଅଭିଯୋଗ ।

ସେପଟେ ଆଶୀର୍ବାଦଙ୍କ ଗିରଫଦାରୀକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ପୁଅ ସଂଜୟ ବେହେରା । ଶୁକ୍ରବାର ଦିନ ଓସିଏ ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ ଥିବା ବେଳେ ତା ଆଗରୁ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ଚିଟଫଣ୍ଡ ସଂସ୍ଥା ପକ୍ଷରୁ ବାଲେଶ୍ୱର ଓ ଭୁବନେଶ୍ୱରରେ ଜମି କିଣାବିକା କରି କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିଛି ସିବିଆଇ । ଜାମିନ ଆବେଦନ ଖାରଜ ପରେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ।