ସିବିଆଇ ଦେହରେ ଲାଗିଛି କଳଙ୍କର ଦାଗ । ଲାଞ୍ଚ ଅଭିଯୋଗରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ମାମଲା । ମଧ୍ୟସ୍ଥିଙ୍କଠାରୁ ଟଙ୍କା ନେବା ଅଭିଯୋଗରେ ସିବିଆଇ ଡିଏସପି ଗିରଫ

36

କନକ ବ୍ୟୁରୋ: ସିବିଆଇ ଦେହରେ ଲାଗିଛି କଳଙ୍କର ଦାଗ । ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ବିରୋଧରେ ଆସିଛି ଲାଂଚ ନେବା ଭଳି ସଂଗୀନ ଅଭିଯୋଗ । ମାଂସ ରପ୍ତାନୀକାରୀ ମୋଇନ କ୍ୟୁରେସିଙ୍କ ମନି ଲଣ୍ଡରିଂ ମାମଲାରେ ୫ କୋଟି ଟଙ୍କାର ଡିଲ ହୋଇଥିବା ବେଳେ ୨ କୋଟି ଟଙ୍କା ଲାଂଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ନିଜ ନମ୍ବର-ଟୁ ଅଧିକାରୀଙ୍କ ନାଁରେ ଏତଲା ଦେଇଛି ସିବିଆଇ । କେବଳ ସେତିକି ନୁହେଁ ଏହି ମାମଲାରେ ସିବିଆଇ ଡିଏସପି ଦେବେନ୍ଦର କୁମାରକୁ ଗିରଫ କରାଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସିବିଆଇ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠିଛି । ସେପଟେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଁଚିଥିବା ଚର୍ଚ୍ଚା ହେଉଛି ।

ରାକେଶ ଆସ୍ଥାନା । ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ । ଏହି କରିତକର୍ମା ଅଧିକାରୀଙ୍କ କଡ଼ା ମିଜାଜ୍ ଯୋଗୁଁ ତାଙ୍କ ନାଁ ଶୁଣିଲେ ଆତଙ୍କିତ ହୋଇଯାଆନ୍ତି କଳା କାରବାର କରୁଥିବା ଲୋକ । ହେଲେ ତାଙ୍କ ନାଁରେ ସିବିଆଇ ହିଁ ଦାୟର କରିଛି ଏଫଆଇଆର୍ । ଅଭିଯୋଗ ହୋଇଛି, ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ଠାରୁ ୨କୋଟି ଟଙ୍କା ଲାଂଚ ନେଇଛନ୍ତି ରାଜେଶ ଆସ୍ଥାନା । ୧୦ମାସ ଭିତରେ ବିଭିନ୍ନ କିସ୍ତିରେ ଆସ୍ଥାନାଙ୍କୁ ୨କୋଟି ଟଙ୍କା ଦେଇଛନ୍ତି ସତୀଶ । ମାଂସ ରପ୍ତାନୀକାରୀ ମୋଇନ ଖୁରେସିଙ୍କ ମନି ଲଣ୍ଡରିଂ ମାମଲାରେ ସତୀଶଙ୍କୁ ଜଡିତ ନକରିବା ପାଇଁ ରାକେଶଙ୍କୁ ଏହି ଲାଂଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରିି ଅଭିଯୋଗ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ତେବେ ସିବିଆଇର ନମ୍ବର ଟୁ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଂଚ ଭଳି ସଂଗୀନ ଅଭିଯୋଗ ଆସିବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ସିବିଆଇର ପଦସ୍ଥ ଅଧିକାରୀଙ୍କ ବିରୋଧରେ ଲାଂଚ ନେବା ଅଭିଯୋଗ ହୁଏ, ତେବେ ଦୁର୍ନୀତି କରୁଥିବା ଲୋକଙ୍କୁ ଧରିବ ବୋଲି ପ୍ରଶ୍ନ ଉଠିଛି । ଚିଟଫଣ୍ଡ ତଦନ୍ତର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ବାରମ୍ବାର ଓଡିଶାକୁ ଆସିଛନ୍ତି ସିବସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ତାଙ୍କ ବିରୋଧରେ ଲାଂଚ ଅଭିଯୋଗ ଆସିବା ପରେ ଚିଟଫଣ୍ଡ ଠକେଇର ନିରପେକ୍ଷ ତଦନ୍ତକୁ ନେଇ ମଧ୍ୟ ସଂଦେହ ସୃଷ୍ଟି ହୋଇଛି ।

ଲାଂଚ କାରବାରରେ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ରାକେଶ ଅସ୍ଥାନାଙ୍କ ବିରୋଧରେ ଏଫଆଇଆର ପରେ ଟ୍ୱିଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ମୋଦିଙ୍କ ଅତି ଘନିଷ୍ଠ ଗୁଜରାଟ କ୍ୟାଡର ଅଧିକାରୀ, ଗୋଧ୍ରା ଦଙ୍ଗା ତଦନ୍ତ କରୁଥିବା ଏସଆଇଟିର ଚର୍ଚ୍ଚିତ ଚେହେରା ତଥା ସିବିଆଇର ଦୁଇ ନମ୍ବର ଅଧିକାରୀ ଏବେ ଲାଂଚ କାରବାରରେ ଫସି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ରାହୁଲ । ଗୋଟିଏ ପଟେ ଏହି ଘଟଣା ବିରୋଧୀ ଦଳକୁ ପ୍ରସଙ୍ଗ ଯୋଗାଇ ଥିବା ବେଳେ ଅନ୍ୟପଟେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସାମନାକୁ ଆସିଛି ।