ଜଜ୍ କରୁଥିଲେ ଡିଲ୍ ! ଲାଂଚ ମାମଲାରେ ଗିରଫ ହେଲେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ.ଏମ୍ କୁଦ୍ଦୁସି

48

କନକ ବ୍ୟୁରୋ : ବିଚାରପତିଙ୍କୁ ନ୍ୟାୟମୂର୍ତ୍ତିର ଆସନ ଦିଆଯାଉଥିବା ଆମ ବ୍ୟବସ୍ଥାରେ ଯେତେ ବେଳେ ଜଣେ ଜଜ୍ କାଠଗଡ଼ାକୁ ଟଣା ହୁଅନ୍ତି, ସେତେବେଳେ ସ୍ୱାଭାବିକ ଭାବରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଆଉ ଜଷ୍ଟିସ୍ ଆଏମ୍ କୁଦ୍ଦୁସି ଗିରଫ ହୋଇ ସିବିଆଇ କୋର୍ଟରେ ହାଜର ହେବା ଘଟଣା ଏବେ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

vlcsnap-2017-09-21-19h21m58s298ଜଷ୍ଟିସ ଆଇ.ଏମ୍ କୁଦ୍ଦୁସୀ । ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ବିଚାରପତି । ଅନ୍ୟାୟ ହୋଇଥିବା ପୀଡ଼ିତକୁ ନ୍ୟାୟ ଦେଇଥିବା ଏହି ବିଚାରପତି ଏବେ ଖୋଦ୍ କାଠଗଡ଼ାରେ । ଓଡିଶା ହାଇକୋର୍ଟରେ ୬ ବର୍ଷ ଧରି ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିବା ଏହି ବ୍ୟକ୍ତି ୮ ମାସ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସରକାରୀ କଟକଣା ସତ୍ୱେ ଉତ୍ତରପ୍ରଦେଶର ଏକ ମେଡ଼ିକାଲ କଲେଜରେ ନାମଲେଖା ପାଇଁ ପ୍ରୟାସ କରିବା ଏବଂ ମାମଲାକୁ ସୁପ୍ରିମକୋର୍ଟରେ ରଫାଦଫା କରିବା ପାଇଁ ଲାଂଚ ନେବା ଭଳି ସଂଗୀନ ଅଭିଯୋଗରେ, ଛନ୍ଦି ହୋଇଯାଇଛନ୍ତି ଏହି ପୂର୍ବତନ ବିଚାରପତି । ଭୁବନେଶ୍ୱର ସମେତ ଲକ୍ଷ୍ନୌ ଏବଂ ଦିଲ୍ଲୀ ଭଳି ୮ଟି ସ୍ଥାନରେ ଚଢ଼ାଉ କରି ସିବିଆଇ ଜବତ କରିଛି ନଗଦ ୧କୋଟି ୯୧ ଲକ୍ଷ ଟଙ୍କା । ଆଉ ଲାଗିଛି ଅପରାଧୀକ ଷଡଯନ୍ତ୍ର ଭଳି ସଂଗୀନ ମାମଲା ।

କାହିଁକି ଫଶିଲେ ବିଚାରପତି ? କ’ଣ ଥିଲା କୁଦ୍ଦୁସିଙ୍କ ନାଁରେ ଅଭିଯୋଗ :
vlcsnap-2017-09-21-19h22m20s748ଆବଶ୍ୟକୀୟ ଭିତିଭୂମୀର ଅଭାବ ଏବଂ ନିମ୍ନମାନର ସୁବିଧା ସୁଯୋଗ କାରଣରୁ ୪୬ଟି ମେଡ଼ିକାଲ କଜେଲରେ ନାମଲେଖା ଉପରେ କଟକଣା ଲଗାଇଥିଲେ ସରକାର । ୨ବର୍ଷ ଯାଏଁ ଏହି କଲେଜଗୁଡ଼ିକରେ ନାମଲେଖା ହୋଇପାରିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଥିଲା ।

ଆଉ ଏହି ସବୁ କଲେଜ ଭିତରେ ଥିଲା- ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ କଲେଜ୍ । ଯାହାର ମାମଲା ରଫାଦଫା କରିବାକୁ ହୋଇଥିଲା ଏକ ବଡଧରଣର ଷଡଯନ୍ତ୍ର । ଆଉ ଏହି ପୁରା ପ୍ରକ୍ରିୟାରେ ଆଇନଗତ ପରାମର୍ଶ ଦେବା ସହ ସୁପ୍ରିମକୋର୍ଟରେ ସୁବିଧାଜନକ ସ୍ଥିତିରେ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ଜଷ୍ଟିସ୍ କୁଦ୍ଦୁସି । ଏହି ମାମଲାରେ ସିବିଆଇ ଜଷ୍ଟିସ୍ କୁଦ୍ଦୁସିଙ୍କ ସମେତ, ମଧ୍ୟସ୍ତି ବିଶ୍ୱନାଥ ଅଗ୍ରୱାଲ, ମେଡ଼ିକାଲ କଲେଜର ମାଲିକ ବିପି ଯାଦବ ଓ ପଲସ ଯାଦବ ଏବଂ ଆୱାଲା ଅପରେଟର ରାମ ଦେବ୍ ସାରସ୍ୱତଙ୍କୁ ଗିରଫ କରିଛି ।

ଯେତେବେଳେ ଜଷ୍ଟିସ୍ ସିଆରଦାସଙ୍କ ଘରେ ସିବିଆଇର ଅନଧିକାର ପ୍ରବେଶକୁ ନେଇ ସାରା ଓଡ଼ିଶାରେ ତୁମ୍ଭୀ ତୋଫାନ ଚାଲିଛି, ଏବଂ ଜଷ୍ଟିସ କୁଦ୍ଦୁସିଙ୍କ ଘର ଭାବି ସିବିଆଇ ସିଆର ଦାସଙ୍କ ଘରକୁ ଯାଇଥିବା ନେଇ ଓଡ଼ିଶା ପୁଲିସ ମାମଲା କରିଛି, ଠିକ୍ ସେତିକି ବେଳେ ଦିଲ୍ଲୀ ସିବିଆଇ କାର୍ଯ୍ୟାଳୟରୁ ଖବର ଆସିଲା ଜଷ୍ଟିସକୁଦ୍ଦୁସିଙ୍କୁ ଗିରଫ କରାଯାଇଛି ।

କୁଦ୍ଦୁସିଙ୍କ ଷ୍ଟିଙ୍ଗ ଅପରେସନର ଭିଜୁଆଲ୍ :

vlcsnap-2017-09-21-19h23m11s385ଜଷ୍ଟିସ୍ ଆଇଏମ୍ କୁଦ୍ଦୁସିଙ୍କ ଗିରଫଦାରୀକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏକ ଷ୍ଟିଙ୍ଗ ଅପରେସନର ଭିଜୁଆଲ । ଯେଉଁଥିରେ ଜଷ୍ଟିସ୍ କୁଦ୍ଦୁସି, ସିଙ୍ଗାପୁରର ଗୋଟିଏ କଂପାନୀ ପାଇଁ ଏକ ଜନସ୍ୱାର୍ଥ ମାମଲା ସଂକ୍ରାନ୍ତରେ ପରାମର୍ଶ ଦେବା ସହ ଟଙ୍କାଦେଣଲେଣ ନେଇ ଆଲୋଚନା କରୁଥିବାର ଚିତ୍ର କଏଦ ହୋଇଛି । ଭାଇରାଲ ହୋଇଥିବା ଏହି ଷ୍ଟିଙ୍ଗ ଅପରେସନର କଥାବାର୍ତା ଅନୁସାରେ ସିଙ୍ଗାପୁର ଏକ କଂପାନୀ ଏକ ବିଦ୍ୟୁତ ଚାଲିତ ଗାଡ଼ି ନିର୍ମାଣ କରିବା ପାଇଁ ଭାରତରେ ଜମି ଏବଂ ଲାଇସେନ୍ସ ଆବଶ୍ୟକ କରୁଥିଲେ ।

ଆଉ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଡିଜେଲ ଦର ବୃଦ୍ଧି ଉପରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ଜଷ୍ଟିସ କୁଦ୍ଦୁସୀଙ୍କ ପରାମର୍ଶ ନେଉଥିଲେ । ଯେଉଁଥି ପାଇଁ ଏହି କଂପାନୀର ଏଜେଂଟମାନେ କୁଦ୍ଦୁସୀଙ୍କୁ ମୋଟା ଅଙ୍କର ଟଙ୍କା ଦେବା ପାଇଁ ଅଫର ଦେଇଥିଲେ । ଆଉ ଏନେଇ ଚେକ୍ ଆକାରରେ ଟଙ୍କା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଜଷ୍ଟିସ କୁଦ୍ଦୁସୀ । ସିଙ୍ଗାପୁରର ଏହି କଂପାନୀ ୬୦ରୁ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ରାଜିଥିବା ଏଥିରେ କୁହାଯାଇଛି । ଜଷ୍ଟିସ କୁଦ୍ଦୁସୀ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସମୟରେ ଏହି ଷ୍ଟିଙ୍ଗ ଅପରେସନ୍ ହୋଇଥିଲା ।