ବିଜୟ ମାଲ୍ୟା, ନିରବ ମୋଦିଙ୍କ ଭଳି ପଳାତକଙ୍କୁ ତ୍ରାହି ନାହିଁ! ସିବିଆଇ ଓ ଇଡି ବିଛାଇଲା ଜାଲ, ପଳାତକଙ୍କୁ ଆଣିବାକୁ ସ୍ୱତନ୍ତ୍ର ବିମାନ ଯାଇପାରେ ୱେଷ୍ଟଇଣ୍ଡିଜ ।

149

ଭାରତରୁ ଟଙ୍କା ନେଇ ବିଦେଶକୁ ଲୁଚି ପଳାଇଯାଇଥିବା ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୌକସିଙ୍କ ଭଳି ପଳାତକଙ୍କୁ ଦେଶକୁ ଆଣିବାକୁ ନୂଆ ଯୋଜନା କରୁଛି ଭାରତ । ଯେଉଁଭଳି ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାକୁ ପ୍ରସ୍ତୁତି କରାଯାଉଛି ଠିକ୍ ସେହିଭଳି ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୌକସିଙ୍କୁ ବିଦେଶରୁ ପ୍ରତ୍ୟର୍ପଣ କରି ଦେଶକୁ ଆଣିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଏପରିକି ଚୌକସିଙ୍କୁ ୱେଷ୍ଟଇଣ୍ଡିଜରୁ ଆଣିବାକୁ ଭାରତ ଏୟାର ଇଣ୍ଡିଆର ବିମାନକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖିଛି । ୪ରୁ ୫ ଦିନ ମଧ୍ୟରେ ଚୌକସିଙ୍କୁ ଭାରତ ଅଣାଯିବ ବୋଲି ଆଶା କରାଯାଉଛି । ନିରବ ଓ ଚୌକସିଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରି ସାରିଛି ।

ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆ ବିମାନରେ ସିବିଆଇ ଓ ଇଡିର ଅଧିକାରୀ ମାନେ ଏହି ପଳାତକଙ୍କୁ ଆଣିବାକୁ କାରବିଆନ ଦେଶକୁ ଯିବେ । ଏହାଛଡା ଅନ୍ୟ ପଳାତକ ହୀରା ବେପାରୀ ଜତୀନ ମେହେତା ମଧ୍ୟ କାରବିଆନ ଦେଶରେ ଲୁଚି ରହିଥିବା ଜଣାପଡିଛି । ତାଙ୍କ ବିରୋଧରେ ୩୯୬୯ କୋଟି ଟଙ୍କାର ବ୍ୟାଙ୍କ ଟଙ୍କା ନେଇ ଫେରାର ହୋଇଯିବାର ଅଭିଯୋଗ ରହିଛି । ସେହିଭଳି ମେହୁଲ ଚୌକସିଙ୍କ ବିରୋଧରେ ୧୩୭୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

କାରବିଆନ ଦେଶ ୧୩୨ଟି ଦେଶର ଲୋକଙ୍କୁ ବିନା ଭିସାରେ ଦେଶକୁ ଯାତ୍ରା କରିବା ଓ ନିବେଶ କରିବା ପାଇଁ ନିଜ ଦେଶର ନାଗରିକତା ମଧ୍ୟ ଦେଇଥାଏ । ତେଣୁ ଏହା ଏବେ ଭାରତରୁ ଟଙ୍କା ନେଇ ଫେରାର ହେଉଯାଉଥିବା ପଳାତକଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି । କାରବିଆନ ଦେଶ ସହ ଭାରତର କୌଣସି ପ୍ରତ୍ୟପଣ ଚୁକ୍ତି ହୋଇନାହିଁ । ତେଣୁ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ, ଅପରାଧ କରିଥିବା ନାଗରିକଙ୍କ ନାଗରିକତା ଠାରୁ ତାଙ୍କ ଦ୍ୱାରା କରାଯାଇଥିବା ଅପରାଧକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ତେଣୁ କାରବିଆନ ଦେଶର ନାଗରିକତା ହାସଲ କରିବା ପରେ ଯେହେତୁ ମେହୁଲ ଚୌକସି ଓ ନିରବ ମୋଦିଙ୍କ ଭଳି ପଳାତକ ଭାରତରେ ଘୋଟାଲା କରିଛନ୍ତି ତେଣୁ ପ୍ରତ୍ୟପଣ ଚୁକ୍ତିର କୌଣସି ପ୍ରଭାବ ପଡୁ ନାହିଁ । ଯାହାଦ୍ୱାରା ମୁକ୍ତ ଓ ଅବାଧରେ କାରବିଆନ ଦେଶରେ ବୁଲୁଛନ୍ତି ଏହି ପଳାତକ ମାନେ ।