ଟିଟୋର କେନ୍ଦ୍ରାପଡା ପେଟ୍ରୋଲ ପମ୍ପରେ ଚଢାଉ: ସିଲ ଭାଙ୍ଗି ସିବିଆଇର ଛାନଭିନ୍, ରେକର୍ଡପତ୍ର ଯାଂଚ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

188

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ନାମରେ କେନ୍ଦ୍ରାପଡାରେ ଥିବା ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଛି ସିବିଆଇ । ୨୦୧୮ରୁ ସିଲ ହୋଇଥିବା ଏହି ପେଟ୍ରୋଲ ପମ୍ପର ସିଲ ଭାଙ୍ଗି ଭୁବନେଶ୍ୱର ସିବିଆଇ ଶାଖାର ଏକ ୬ଜଣିଆ ଟିମ୍ ପେଟ୍ରୋଲ ପମ୍ପ ଭିତରେ ପଶି ରେକର୍ଡ ଯାଂଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ପେଟ୍ରୋଲ ପମ୍ପ ପରିସରରେ ଥିବା ତିନୋଟି କୋଠରୀ ଖୋଲି ଯାଂଚ କରିଥିଲେ । ସୟଦ ବ୍ରଦର୍ସ ଫିଲିଙ୍ଗଷ୍ଟେସନ ଓ ପାରାଦୀପର ପୋକୋ ପେଟ୍ରୋଲ ପମ୍ପକୁ ସେ କିପରି ହାତେଇଲା ସେ ନେଇ ଖୋଳତାଡ କରୁଛି ସିବିଆଇ ।

ଉଲ୍ଲେଖ ଯୋଗ୍ୟ ଯେ, ଟିଟୋର ପରୋକ୍ଷ ମାଲିକାନାରେ ଥିବା କେନ୍ଦ୍ରାପଡ଼ାର ସୟଦ୍ ବ୍ରଦର୍ସ ଫିଲିଙ୍ଗଷ୍ଟେସନ ଓ ପାରାଦୀପର ‘ପୋକୋ’ ପେଟ୍ରୋଲ ପମ୍ପକୁ ସେ କିପରି ହାତେଇଥିଲା ସେ ସଂପର୍କରେ ଆରମ୍ଭରୁ ତଦନ୍ତ ହୋଇଥିଲା। କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କଫୋର୍ସ ଏହାର ତଦନ୍ତ କରିଥିଲା ବେଳେ ଆଇଓସିଏଲ୍ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲା। ଏଥରକୁ ମିଶାଇ ସିବିଆଇ ଟିମ୍ କେନ୍ଦ୍ରାପଡ଼ାକୁ ୩ ଥର ଆସି ପେଟ୍ରୋଲ ପମ୍ପ୍ ହାତେଇଥିବା ସମ୍ପର୍କରେ ଛାନଭିନ କରିଛି। ବେନଜିର ବିବିଙ୍କ ନାମରେ ଦୁଇଟି ମାମଲା ବିଚାରାଧୀନ ଥିବା ବେଳେ ଏହି ପେଟ୍ରୋଲ ପମ୍ପ୍କୁ କେଉଁ ଅଧିକାରୀ ଏନଓସି ଦେଇଥିଲେ ଓ ଅନ୍ୟ କେଉଁ ରାଜନେତାଙ୍କ ହାତ ଥିଲା କି ନା ସେ ନେଇ ମଧୢ ତଥ୍ୟ ସ˚ଗ୍ରହ କରୁଛି ସିବିଆଇ। କେଉଁ ଆଧାରରେ ଟିଟୋକୁ ରାଜସ୍ବ ବିଭାଗ, ପୌର କର୍ତୃପକ୍ଷ, ଯୋଗାଣ ଓ ଅଗ୍ନିଶମ ବିଭାଗ ଏପରିକି ପୁଲିସ୍ ଉଚ୍ଚ କର୍ତୃପକ୍ଷ ପେଟ୍ରୋଲ ପମ୍ପ୍ ଖୋଲିବାକୁ ଅନୁମତି ଦେଇଥିଲେ ସେ ସମ୍ପର୍କରେ ପ୍ରମାଣପତ୍ର ଯୋଗାଡ଼ କରାଯାଉଛି।

ଟିଟୋ ବିରୋଧରେ ଏସଟିଏଫ୍ ପକ୍ଷରୁ (କେସ୍ ନ˚ ୮) ଆଇପିସି ୧୨୦(ଖ), ୪୨୦, ୪୬୮, ୪୭୧, ଦୁନୀର୍ତି ନିବାରଣ ଆଇନ୍ ୧୯୮୮ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ସ୍ବତନ୍ତ୍ର ଟାସ୍କଫୋର୍ସ ମଧୢ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍, ଯୋଗାଣ ବିଭାଗ, ନିବନ୍ଧକଙ୍କ ଅଫିସ୍, ଅଗ୍ନିଶମ ବିଭାଗ ଓ ପୁଲିସ୍ କର୍ତୃପକ୍ଷଙ୍କ ଠାରୁ ଏ ବାବଦରେ ଦସ୍ତାବିଜ୍ ସ˚ଗ୍ରହ କରିବା ସହ ପେଟ୍ରୋଲ ପମ୍ପ୍ ସିଲ କରିଥିଲେ। ସିବିଆଇ ପେଟ୍ରୋଲ ପମ୍ପ ଭିତରେ ଛାନଭିନ କରି ସାରିବା ପରେ ଏସଟିଏଫର ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ପୁଣି ପେଟ୍ରୋଲ ପମ୍ପ୍କୁ ସିଲ କରି ଦିଆଯାଇଥିଲା।