ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଆଡଭାନି, ଯୋଶୀ ଓ ଉମାଭାରତୀଙ୍କୁ ଆଶ୍ୱସ୍ତି ! ସିବିଆଇର ସ୍ୱତନ୍ତ୍ର କୋର୍ଟ ଦେଲେ ଜାମିନ୍

39

କନକ ବ୍ୟୁରୋ : ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଙ୍କୁ ଆଶ୍ୱସ୍ତି ମିଳିଛି । ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଆଡଭାନିଙ୍କ ସମେତ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଉମାଭରାତୀଙ୍କ ସମେତ ୧୨ ଜଣଙ୍କୁ ଜାମିନ ଦେଇଛନ୍ତି । ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଜାମିନ ମିଳିଛି ।

ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଆଡଭାନି,ଯୋଶୀଙ୍କ ସମେତ ସମସ୍ତ ୧୨ ଜଣ ହାଜର ହୋଇଥିଲେ । ବିଶ୍ୱହିନ୍ଦୁ ପରିଷଦ ନେତା ବିଷ୍ଣୁ ହରି ଡାଲମିଆଁ ଓ ସ୍ୱାଧ୍ୱୀ ରୁତୁମ୍ଭରା ମଧ୍ୟ କୋର୍ଟ ଆସିଥିଲେ । କୋର୍ଟରେ ସମସ୍ତେ ମାମଲା ଖାରଜ କରିବାକୁ ଆବେଦନ କରିଥିଲେ । ଏହା ଉପରେ କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ।

ସ୍ୱତନ୍ତ୍ର ସିବିଆଇ କୋର୍ଟ ବାବ୍ରୀ ମସଜିଦ ଭଙ୍ଗା ସଂପର୍କିତ ୨ଟି ଅଲଗା ଅଲଗା ମାମଲାର ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ ଅପ୍ରେଲ ୧୯ ତାରିଖରେ ଆଡଭାନି, ମୁରଲୀମ ନୋହର ଯୋଶୀ, ଉମାଭାରତୀ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।