ଯାଜପୁରରେ କୋବି ଗୋଟାକୁ ମାତ୍ର ୧ ରୁ ୨ ଟଙ୍କା ! ଅଭାବି ବିକ୍ରି ଯୋଗୁଁ ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

209

କନକ ବ୍ୟୁରୋ : ଶୀତଦିନରେ ସବୁଜ ପନିପରିବାର ବେଶ ଚାହିଦା ରହିଛି । ଯାଜପୁର ଜିଲାରେ କୋବି ଚାଷୀ ହତାଶରେ ଦିନ କାଟୁଛନ୍ତି । କୋବିର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । କୋବି ପ୍ରତି ୧ ଟଙ୍କା ୨ ଟଙ୍କାରେ ବିକ୍ରି ହେଉଛି । ପଂଳରେ ଧାରକରଜ କରି ଚାଷ କରିଥିବା ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା ।

ଯାଜପୁର ଜିଲ୍ଲାରେ କୋବି ଚାଷୀଙ୍କ ଦୁଃଖ, ଅଭାବି ବିକ୍ରି । ଚଳିତ ବର୍ଷ କୋବି ଭଲ ଅମଳ ହୋଇଥିବା ବେଳେ ଚାଷୀଙ୍କୁ ମିଳୁନି ପ୍ରକୃତ ମୂଲ୍ୟ । ରଖିବା ପାଇଁ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ବାଧ୍ୟ ହୋଇ ଟଙ୍କେ ଦି-ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅଭାବି ବିକ୍ରି ଯୋଗୁଁ ଧାର କରଜ କରି କୋବି ଚାଷ କରିଥିବା ଚାଷୀଙ୍କୁ ଏବେ ଋଣ ଶୁଝିବା ଚିନ୍ତା ଘାରିଛି । ପରିସ୍ଥିତି ଏପରି ହୋଇଛି ଯେ ବିଲରୁ ଚାଷି କୋବି ଅମଳ ନକରି ଛାଡି ଦେଉଛନ୍ତି ।

ଯାଜପୁର ଜିଲାର ରସୁଲପୁର, ବାରବାଟି, ଆଙ୍କୁଲା ଓ ସିମିଳିଆ ଅଂଚଳରେ କୋବିର ଅଭାବି ବିକ୍ରି ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଂଗି ଯାଇଛି । କୋବି ପରି ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ୟା ଅଧିକ ଜଟିଳ ହେଉଛି । ସେପଟେ ଏପରି ସମସ୍ୟା ସଂପର୍କରେ ଅଭିଯୋଗ ଆସିଛି । ଏବଂ ସମସ୍ୟା ବାବଦରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ଉଦ୍ୟାନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଚାଷ ଓ ଚାଷୀଙ୍କ ପାଇଁ ପ୍ରଣୟନ ହେଉଛି ଅନେକ ଯୋଜନା । କିନ୍ତୁ ଏଭଳି ଯୋଜନା ଚାଷୀଙ୍କ କାମରେ ଆସୁନି କିମ୍ବା ଚାଷୀଙ୍କ ସମସ୍ୟାର ସମାଧାନ କରୁନି ।